କେନ୍ଦୁଝର ରାସ୍ତା ଉପରେ ଲହଡି ଭାଙ୍ଗୁଛି ପାଣି !
କେନ୍ଦୁଝର: କେନ୍ଦୁଝରରେ ଗତ କିଛି ଦିନ ଧରି ଲଗାଣ ବର୍ଷା ହେବା ଫଳରେ ବିଭନ୍ନ ରାସ୍ତା ଉପରେ ଲହଡି ଭାଙ୍ଗୁଛି ପାଣି । ସହରବାସୀଙ୍କ ଅବସ୍ଥା ବେହାଲ ହେବା ସହ ଜନବଜିବନ ଅସ୍ତବ୍ୟସ୍ତ ହୋଇ ପଡିଛି । ପ୍ରବଳ ବର୍ଷା ହେବା ଫଳରେ କେନ୍ଦୁଝର ପୌରାଞ୍ଚଳର ବିଭିନ୍ନ ୱାର୍ଡ ର ସାହୀ,ବସ୍ତୀ ଓ କଲୋନୀ ରେ ୱାଟର ଲଗିଙ୍ଗ ହେବା ଫଳରେ ରାସ୍ତା ଘାଟ ରେ ପାଣି ଜମି ରହିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭାଲକିପାତଳା,କୁଲାଡେରା ମାର୍ଗ,ସ୍ପଞ୍ଜ କଲୋନୀ,ବଳଦେବଜୀଉ କଲୋନୀ,ଇନକମଟ୍ୟାକ୍ସ ଅଫିସ ଗଳି ଆଦି ଅଞ୍ଚଳରେ ୱାଟର ଲଗିଂ ହେବା ଫଳରେ ରାସ୍ତା ଘାଟରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିବା ସହ ଘର ଦ୍ଵାରରେ ପାଣି ପଶିଯିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ ଏଠାରେ ଡ୍ରେନେଜର ବ୍ୟବସ୍ଥା ନାହିଁ । ଦୀର୍ଘ ବର୍ଷ ପୂର୍ବେ ରାସ୍ତା ହୋଇଥିଲା ହେଲେ ତାହା ଏବେ ଭାଙ୍ଗି ଆଣ୍ଠୁଏ ଲେଖାଏ ଗାତ ହୋଇ ଗଲାଣି । ସେପଟେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚାର ପାଣି ପ୍ରବାହିତ ହେଉଥିବାରୁ ପିଲାମାନେ ସ୍କୁଲ କଲେଜ ଯିବାରେ,ରୋଗୀ ଟିଏ ଡାକ୍ତରଖାନା ଯିବାରେ ଓ ଲୋକ ମାନେ ଅଫିସ ଯିବା ଆସିବାରେ ଅନେକ ଅସୁବିଧାର ସମ୍ମୁଖୀନ ହୋଉଛନ୍ତି । ଏପରିକି ଛୋଟ ଛୋଟ ପିଲାଙ୍କୁ ମା ମାନେ କାଖେଇକି ସ୍କୁଲରେ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି । ଏପରି ଅସୁବିଧାକୁ ନେଇ ଅଞ୍ଚଳବାସୀ ଅନେକ ବର୍ଷ ଧରି ପୌରପାଳିକା ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ଏବଂ ରାସ୍ତା ରୋକ କରିଛନ୍ତି ହେଲେ ଫଳ ଶୂନ । ମିଳିଛି ତ କେବଳ ପ୍ରତିଶୃତି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।
ସେପଟେ ପୌରପାଳିକାର ନିର୍ବାହୀ ଅଧିକାରୀ ଏହି ସମାସ୍ୟାକୁ ସ୍ବୀକାର କରିବା ସହ ୱାଟର ଲଗିଙ୍ଗ ହୋଇଛି କାମ ପାଇଁ ଟେଣ୍ଡର ସରିଛି ଓ ଷ୍ଟୋରେଜ ସିଷ୍ଟମ ପାଇଁ ବ୍ୟବସ୍ଥା ହେଉଛି ବୋଲି କହିଛନ୍ତି । ବର୍ତ୍ତମାନ ପାଇଁ ଏକାଧିକ ମୋଟର ପମ୍ପ ଲଗାଇ ପାଣି ନିଷ୍କାସନ କରାଯାଉଥିବା ମଧ୍ୟ କହିଛନ୍ତି ।
ଅସରାଏ ବର୍ଷା ହେଲେ କେନ୍ଦୁଝର ସହରର ଅବସ୍ଥା ଖରାପ ହୋଇଯାଏ । ଆଉ ଲୋକମାନେ ଜଳବନ୍ଦୀ ହୋଇ ଜୀବନ ଵିତାନ୍ତି । ଏନେଇ ସହରବାସୀ ପୌରପାଳିକା ଓ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳିପାରିନାହିଁ । ତେବେ ଏଥିପ୍ରତି ଦୃଷ୍ଟି ଦେଇ କୌଣସି ପଦକ୍ଷେପ ନେଲେ ଭଲ ହୁଅନ୍ତା ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି ।

