ରାଜ୍ୟ

ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ କରିବ ଏଏସଆଇ

Spread the love

ଆସନ୍ତା ୧୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ କରିବ ଏଏସଆଇ।ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ରତ୍ନଭଣ୍ଡାରର ନିରୀକ୍ଷଣ ହେବ | ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏଏସଆଇର ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ଵରେ ଏହି ପ୍ରାରମ୍ଭିକ ନିରୀକ୍ଷଣ ଏବଂ ବୈଷୟିକ ଯାଞ୍ଚ କରାଯିବ। ତେଣୁ ଏହି ଦିନ ଶ୍ରୀଜିଉଙ୍କ ନୀତିକାନ୍ତି ବା ସେବାପୂଜାରେ ବ୍ୟାଘାତ ନକରି ନିରୀକ୍ଷଣ ପ୍ରକ୍ରିୟା ପାଇଁ ଆବଶ୍ୟକ ସମୟ ଦେବା ଲାଗି ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି।

ଆସନ୍ତା ୧୮ ତାରିଖ ବୁଧବାର ଦିନ ୧ଟାରୁ ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସମୟରେ ମହାପ୍ରସାଦ କିଣିବାକୁ ଇଚ୍ଛୁକ ଥିବା ଭକ୍ତ ସିଂହଦ୍ଵାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କିଣିପାରିବେ। ଏହାପରେ ଉତ୍ତର ଦ୍ଵାର ଦେଇ ପ୍ରସ୍ଥାନ କରିବେ।ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମୋଦିତ ଏସଓପି ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ୍ କୋଠରୀକୁ ସ୍ଥାନାନ୍ତରଣ ଏବଂ ଖାଲି ଆଲମିରା ତଥା ସିନ୍ଦୁକ ଗୁଡିକ ସ୍ଥାନାନ୍ତରିତ ହୋଇସାରିଛି। ତାପରେ ଏଏସଆଇକୁ ସଂରକ୍ଷଣ ତଥା ମରାମତି କାର୍ଯ୍ୟ ହାତକୁ ନେବାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରାଯାଇଥିଲା। ତେବେ ମରାମତି ପୂର୍ବରୁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ସର୍ଭେ କରାଯିବାକୁ ଅନୁରୋଧ କରାଯାଇଥିଲା। ଏହାଦ୍ଵାରା ଯେପରି ଶ୍ରୀମନ୍ଦିର ଉପରେ କୌଣସି ପ୍ରତିକୂଳ ପ୍ରଭାବ ନପଡିବ ସେଥିପ୍ରତି ଧ୍ୟାନ ଦେବାକୁ ଏଏସଆଇକୁ ଅନୁରୋଧ କରାଯାଇଥିଲା। ପୂର୍ଣ୍ଣାଙ୍ଗ ଅତ୍ୟାଧୁନିକ ତଥା ବୈଷୟିକ ଯାଞ୍ଚ ପରେ ଏଏସଆଇ ରତ୍ନଭଣ୍ଡାରର ସଂରକ୍ଷଣ ଓ ମରାମତି କାର୍ଯ୍ୟ ଅବିଳମ୍ବେ ସାରିବାକୁ ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି।

ଏନେଇ ଏଏସ୍‌ଆଇ ଅଧୀକ୍ଷକ ଡିବି ଗଡ଼ନାୟକ କହିଛନ୍ତି, ବିଭାଗ ପକ୍ଷରୁ ୧୮ ତାରିଖରେ ରତ୍ନଭଣ୍ଡାର ଯାଞ୍ଚ ହେବାକୁ ନିଷ୍ପତ୍ତି ହୋଇଛି । ମାତ୍ର ଯାଞ୍ଚ ପରେ ବୈଷୟିକ ଜ୍ଞାନକୌଶଳ ବ୍ୟବହାର ନେଇ ଉଚ୍ଚ କର୍ତ୍ତୃପକ୍ଷ ପ୍ରତିକ୍ରିୟା ରଖିପାରିବେ । ଏବେ ସେନେଇ କହିବା ଠିକ୍‌ ହେବନି । ସୂଚନା ଥାଉକି, ରତ୍ନଭଣ୍ଡାର ତଳେ କିମ୍ବା କାନ୍ଥକୁ ଲାଗି ଗୁପ୍ତ ସୁଡ଼ଙ୍ଗ କିମ୍ବା ଗୁପ୍ତ ସମ୍ପତ୍ତି ଥିବା ନେଇ ଚର୍ଚ୍ଚା ହେଉଥିବାରୁ ଏହାର ସନ୍ଦେହ ବିମୋଚନ ନିମନ୍ତେ ଯାଞ୍ଚ ବେଳେ ଲେଜର ସ୍କାନିଂ ଏବଂ ଜିପିଆର ସର୍ଭେ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ୧୮ ତାରିଖରେ କେଉଁ ବୈଷୟିକ ପ୍ରକ୍ରିୟାରେ ଯାଞ୍ଚ ହେଉଛି ଓ ଯାଞ୍ଚରେ କ’ଣ ଜଣାପଡ଼ୁଛି ତାହାକୁ ନେଇ ସବୁ ମହଲରେ ଉତ୍କଣ୍ଠା ବଢ଼ିଛି ।

 

Leave a Reply

Your email address will not be published. Required fields are marked *