କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ! ମିଳିଲା ଝୁଲନ୍ତା ମୃତଦେହ
ବାଲେଶ୍ୱରରେ ଜଣେ ୧୭ ବର୍ଷୀୟା କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ଘରୁ ଝୁଲନ୍ତା ଅବସ୍ଥାରେ ମିଳିଲା ନାବାଳିକାଙ୍କ ମୃତଦେହ । ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ନିଜର କିଛି ସହଯୋଗୀଙ୍କ ସହ ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ । ଭୋଗରାଇ ଅଞ୍ଚଳରେ ଜଣେ ୧୭ ବର୍ଷୀୟା ନାବାଳିକା କଲେଜ ଛାତ୍ରୀଙ୍କୁ କିଛି ଯୁବକ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ସନ୍ଧ୍ୟାରେ ମୃତ ଛାତ୍ରୀଙ୍କ ପରିବାର ଲୋକେ ଭୋଗରାଇ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ବସନ୍ତ ମାଝୀ ନାମକ ଜଣେ ଯୁବକକୁ ଅଟକ ରଖି ପଚରାଉଚରା କରୁଛି ।ଛାତ୍ରୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଗତ ମଙ୍ଗଳବାର ଦିନ ଏହି ଘଟଣା ଘଟିଥିଲା । ଭୋଗରାଇ ଅଞ୍ଚଳର ବସନ୍ତ ମାଝୀ ଓରଫ୍ ବାଣ୍ଟୁ ତାର କିଛି ସହଯୋଗୀଙ୍କ ସହ ମିଶି ଘରେ କେହି ନଥିବାର ସୁଯୋଗରେ ଘରେ ପଶି ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲେ । ଏହାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ବେକରେ ରଶି ଲଗାଇ ଝୁଲାଇ ଦେଇଥିଲେ ।
ଅଭିଯୋଗ କ୍ରମେ ପୋଲିସ ଘଟଣାସ୍ଥଳକୁ ଯାଇ ଘର ଭିତରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଏନେଇ ମାମଲା ରୁଜୁ କରିବା ସହ ବସନ୍ତ ମାଝୀକୁ ଅଟକ ରଖି ଅଧିକ ତଦନ୍ତ କରୁଛି । ତେବେ ଏହି ଘଟଣାରେ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

