ପୁଣି ଡରାଇଲାଣି କରୋନା: ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୨୩ଜଣ ପଜିଟିଭ୍ ଚିହ୍ନଟ
ଭାରତରେ କୋଭିଡ୍ ମାମଲା ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି । କୋଭିଡ୍ ମହାମାରୀକୁ କିଏ ବା ଭୁଲିବ କହିଲେ । ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ପାଲଟିଥିଲା ଏହି ମହାମାରୀ । ତେବେ ବର୍ତ୍ତମାନ ପୁଣି ଡରାଇଲାଣି କରୋନା । କରୋନା ଭାଇରସକୁ ନେଇ ଆତଙ୍କିତ ଲୋକେ । ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୩ ଟି କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଯାହାକୁ ନେଇ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ହସ୍ପିଟାଲ ଗୁଡ଼ିକୁ ବେଡ୍ ଏବଂ ଅକ୍ସିଜେନ୍ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦେଇଛନ୍ତି ।
ଦିଲ୍ଲୀରେ ୨୩ ଜଣ କୋଭିଡ୍ ପଜିଟିଭ୍ ରିପୋର୍ଟ ଆସିଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ପଙ୍କଜ ସିଂ ଶୁକ୍ରବାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସରକାର ରୋଗୀଙ୍କ ବିବରଣୀ ଯାଞ୍ଚ କରୁଛନ୍ତି । ଏହା ସହିତ ସେମାନେ ଯାଞ୍ଚ କରୁଛନ୍ତି ଯେ ରୋଗୀମାନେ ସହରର ବାସିନ୍ଦା ନା ସେମାନଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରୀ ଅଛି ।
ଏପଟେ ଚୀନ୍, ଥାଇଲ୍ୟାଣ୍ଡ ଏବଂ ସିଙ୍ଗାପୁର ଭଳି ଦେଶରେ ବଢ଼ୁଥିବା ମାମଲା ମଧ୍ୟରେ, ସରକାର ହସ୍ପିଟାଲ ଗୁଡ଼ିକୁ ଶଯ୍ୟା ଏବଂ ଅକ୍ସିଜେନ ପୂର୍ବରୁ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦେଇଛନ୍ତି । ରିପୋର୍ଟ ଅନୁସାରେ ୧୯ ମଇ, ୨୦୨୫ ସୁଦ୍ଧା ୨୫୭ଟି ସକ୍ରିୟ ମାମଲା ରହିଥିଲା । କେରଳ, ମହାରାଷ୍ଟ୍ର ଏବଂ ତାମିଲନାଡୁ ଭଳି ରାଜ୍ୟ ଗୁଡ଼ିକରେ ଅନେକ ସକ୍ରିୟ ମାମଲା ଥିବା ନେଇ ରିପୋର୍ଟ ଆସିଛି । ସେପଟେ ଦିଲ୍ଲୀରେ କୋଭିଡ୍ ମାମଲା ସମ୍ପର୍କରେ, ଏସିଆର ବିଭିନ୍ନ ସ୍ଥାନରେ JN 1( ଜେଏନ ୧) ନାମକ ଏକ ନୂତନ ଭ୍ୟାରିଏଣ୍ଟକୁ ନେଇ ସ୍ୱାସ୍ଥ୍ୟ ଅଧିକାରୀମାନେ ଚିନ୍ତିତ ।
କୋଭିଡ୍ ଜେଏନ ୧ ରେ ସଂକ୍ରମିତ ବ୍ୟକ୍ତିମାନେ ଶ୍ୱାସକ୍ରିୟାର ସାମାନ୍ୟ ସମସ୍ୟା ଅନୁଭବ କରିଥାନ୍ତି । ଲକ୍ଷଣ ଗୁଡ଼ିକ ମଧ୍ୟରେ ଜ୍ୱର, ନାକରୁ ପାଣି ବୋହିବା, ଗଳା ଯନ୍ତ୍ରଣା, ମୁଣ୍ଡବିନ୍ଧା, ଅତ୍ୟଧିକ ଥକ୍କାପଣ, ମାଂସପେଶୀ ଦୁର୍ବଳତା ଏବଂ ପାକସ୍ଥଳୀରେ ସାମାନ୍ୟ ସମସ୍ୟା ଦେଖା ଦେଇଥାଏ । କିଛି କ୍ଷେତ୍ରରେ, ଭୋକ କମ୍ ହେବା ଏବଂ ଲଗାତାର ବାନ୍ତି ହୋଇପାରେ । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସଂକ୍ରମିତ ହେବାରୁ ରକ୍ଷା ପାଇବା ପାଇଁ ନିୟମିତ ହାତ ଧୋଇବା, ମାସ୍କ ପିନ୍ଧିବା ଏବଂ ଅନ୍ୟାନ୍ୟ କୋଭିଡ୍ ସତର୍କତା ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

