ଆକାଶ ରେ ଝୁଲିଲେ ୩ ଘଣ୍ଟା
ଚେନ୍ନାଇର ଏକ ଆମ୍ୟୁଜମେଣ୍ଟ ପାର୍କରେ ୫୦ ଫୁଟ ଉଚ୍ଚତାରେ ଜଏ ରାଇଡରେ ବସିଥିବା ବେଳେ ପ୍ରାୟ ୩ ଘଣ୍ଟା ଧରି ୩୦ ଜଣ ଯାତ୍ରୀ ଝୁଲି ରହିଥିଲେ । ୩ ଘଣ୍ଟାପରେ ଉଦ୍ଧାରକାରୀ ଦଳ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ ।ସାଧାରଣତଃ ସମସ୍ତେ ପାର୍କକୁ ଯାଇଥାଆନ୍ତି ମଜା ମସ୍ତି କରିବା ଓ ଆନନ୍ଦ ଉଠାଇବା ପାଇଁ । ହେଲେ ଏହି ଆନନ୍ଦ ଯଦି ଜୀବନକୁ ବିପଦରେ ପକାଇବ ତାହାଲେ ସେହି ଆନନ୍ଦ ପାଣି ଫୋଟକା ପରି ମିଳାଇଯାଏ । ତାମିଲନାଡୁର ଏକ ଆମ୍ୟୁଜମେଣ୍ଟ ପାର୍କରେ ଜଏରାଇଡ କାମ ନ କରିବା ଫଳରେ ୫୦ ଫୁଟ ଉଚ୍ଚତାରେ ୩୦ ଜଣ ଲୋକ ଝୁଲି ରହିବାର ଘଟଣା ସାମନାକୁ ଆସିଛି ।
ଏହି ଘଟଣା ଚେନ୍ନାଇର ଇଷ୍ଟ କୋଷ୍ଟ ରୋଡରେ ଥିବା ଏକ ପାର୍କରେ ଘଟିଛି । ଫସି ରହିଥିବା ଜଏରାଇଡରେ ବହୁ ଜଣ ମହିଳା ଓ ଶିଶୁ ମଧ୍ୟ ଥିଲେ ।ଏହି ଜଏରାଇଡର ନାମ ‘ଟପ ଗନ’ ହୋଇଥିବା ବେଳେ ଗତ କାଲି ସନ୍ଧ୍ୟା ୬ଟା ବେଳେ ଏହି ରାଇଡର ଡାହାଣ ପଟ ଇଞ୍ଜିନରେ ବହୁତ ଜୋରରେ ଏକ ଶବ୍ଦ ହୋଇଥିଲା । ତାପରେ ଆକାଶ ମଝିରେ ହିଁ ଝୁଲି ରହିଲା । ଯାହାକୁ ନେଇ ଯାତ୍ରୀମାନେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଥିଲେ । ଏହା ପରେ ରାତି ୯.୩୦ରେ ଉଦ୍ଧାରକାରୀ ଦଳ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ ।
ପ୍ରାୟ ସାଢେ ୩ ଘଣ୍ଟା ପର୍ଯ୍ୟନ୍ତ ଯାତ୍ରୀମାନେ ସେମିତି ଆକାଶରେ ଝୁଲି ରହିଥିଲେ । ଯାତ୍ରୀମାନେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ନିଜ ନିଜ ସ୍ଥାନରେ ବସି ରହିଥିଲେ । ଉଦ୍ଧାର କାର୍ଯ୍ୟ ଚାଲିବା ପର୍ଯ୍ୟନ୍ତ ଫସି ରହିଥିବା ଯାତ୍ରୀମାନଙ୍କୁ ପାଣି ଓ ବିସ୍କୁଟ ଦେଇଥିଲେ । ପ୍ରଥମେ ସିଡିରେ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଇଥିଲା । ହେଲେ ବିଫଳ ହେବାରୁ ସ୍କାଏ ଲିଫ୍ଟ ସାହାଯ୍ୟରେ ସେମାନଙ୍କୁ ତଳକୁ ଅଣାଗଲା ।

