ନବରାତ୍ରରେ ମାଆ ସମଲେଶ୍ବରୀଙ୍କ ପାଖରେ ଜଳିବ ୫ ହଜାର ଦୀପ ।
ସମ୍ବଲପୁର : ମା’ ଜଗତଜନନୀଙ୍କ ଆବାହନ ପାଇଁ ସମଗ୍ର ରାଜ୍ୟ ଚଳଚଞ୍ଚଳ । ଦେଶବ୍ୟାପୀ ବିଭିନ୍ନ ଶକ୍ତିପୀଠରେ ଜାରି ରହିଛି ନବରାତ୍ର ଓ ଷୋଡଷ ଉପଚାର ପୂଜା । ନବରାତ୍ରରେ ମାଆ ସମଲେଶ୍ବରୀଙ୍କ ପାଖରେ ଜଳିବ ୫ ହଜାର ଦୀପ । ସେହିପରି ପବିତ୍ର ମହାଳୟା ଓ ନବରାତ୍ର ପାଇଁ ମାଆ ସମଲେଶ୍ବରୀଙ୍କ ମନ୍ଦିରରେ ଚାଲିଛି ଜୋରଦାର ପ୍ରସ୍ତୁତି । ମହାଳୟାରେ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମାଆ ସମଲେଶ୍ବରୀ । ପ୍ରାତଃ ସାଢ଼େ ୪ଟାରେ ମଙ୍ଗଳ ଆଳତି ପରେ ପ୍ରାତଃ ୫ଟାରେ ଦର୍ଶନ ଆରମ୍ଭ ହେବ ।
ଅନ୍ୟପଟେ ଅନ୍ନଭୋଗ ଲାଗି ପାଇଁ ଦିନ ୧୧ଟା ୪୫ରୁ ୧୨ଟା ୩୦ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ସେହିପରି ସନ୍ଧ୍ୟା ମହାଆଳତି ପାଇଁ ସନ୍ଧ୍ୟା ୭ଟା୪୫ରୁ ରାତି ୮ଟା୩୦ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ରାତି ୧୦ଟା ୩୦ରେ ମା’ ସମଲେଶ୍ୱରୀଙ୍କ ଦର୍ଶନ ବନ୍ଦ ଓ ପହଡ଼ ନୀତି ଅନୁଷ୍ଠିତ ହେବ । ମହାଳୟାରେ ସିନ୍ଦୁରବର୍ଣ୍ଣା ମା’ ସମଲେଶ୍ବରୀ ଶୁଭ୍ର ଶ୍ବେତ ରୂପ ଧାରଣ କରନ୍ତି । ମା’ଙ୍କର ଏହି ଧବଳମୁଖୀ ବେଶକୁ ଗଙ୍ଗାଦର୍ଶନ ବେଶ ମଧ୍ୟ କୁହାଯାଏ । ଏହି ଦିନ ଲକ୍ଷାଧିକ ଭକ୍ତ ମାଙ୍କ ଦର୍ଶନ କରି ପୁଣ୍ୟଲାଭ କରିଥାନ୍ତି ।

