କ୍ରୀଡା

ଇଂଲଣ୍ଡକୁ ୯ ଓ୍ବିକେଟରେ ହରାଇଲା ନ୍ୟୁଜିଲାଣ୍ଡ

Spread the love

ବିଶ୍ବକପ ଉଦଘାଟନୀ ମ୍ୟାଚରେ ନ୍ୟୁଜିଲାଣ୍ଡର ଦମଦାର ବିଜୟ। ପ୍ରତିପକ୍ଷ ଇଂଲଣ୍ଡକୁ ୯ ଓ୍ବିକେଟରେ ହରାଇଲା କିଓ୍ବି ଟିମ୍। ନିର୍ଦ୍ଧାରିତ ଓଭରରୁ ୮୨ ବଲ ବାକି ଥାଇ ମ୍ୟାଚ ହାତେଇ ନେଇଛି ନ୍ୟୁଜିଲାଣ୍ଡ। ଅହମ୍ମଦାବାଦରେ ଖେଳାଉଥିବା ଏକଦିବସୀୟ ବିଶ୍ବକପର ଉଦଘାଟନୀ ମ୍ୟାଚରେ ଆଜି ମୁହାଁମୁହିଁ ହୋଇଥିଲେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ।

ନ୍ୟୁଜିଲାଣ୍ଡ ଟସ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ ୫୦ ଓଭରରେ ଇଂଲଣ୍ଡ ୯ ଓ୍ବିକେଟ ହରାଇ କରିଥିଲା ୨୮୨ ରନ। ଦଳ ପକ୍ଷରୁ ଜୋ ରୁଟ୍ ସର୍ବାଧିକ ୭୭ ରନ କରିଥିଲେ। ତେବେ ୨୮୩ ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡକୁ ପ୍ରଥମରୁ ଝଟକା ଲାଗିଥିଲା। ଦଳର ଓପନର ଓ୍ବିଲ୍ ୟଙ୍ଗ କୌଣସି ରନ ନକରି ପେଭିଲିଅନ ଫେରିଥିଲେ। ଏହାପରେ ପାଳି ସମ୍ଭାଳିଥିଲେ ଡେଭିନ କନଓ୍ବେ ଓ ରଚୀନ ରବୀନ୍ଦ୍ର।

ଉଭୟ ବ୍ୟାଟ୍ସମ୍ୟାନଙ୍କ ଧୂଆଁଧାର ବ୍ୟାଟିଂ ଫଳରେ ନ୍ୟୁଜିଲାଣ୍ଡ ୯ ଓ୍ବିକେଟରେ ମ୍ୟାଚ ହାତେଇ ନେଇଛି। କନଓ୍ବେ ୧୨୧ ବଲରେ ୧୫୨ ରନ କରିଥିବାବେଳେ ରବୀନ୍ଦ୍ର ୯୬ ବଲରେ ୧୨୩ ରନ କରିଛନ୍ତି। ଫଳରେ ମାତ୍ର ୩୬ ଓଭର ୨ଟି ବଲରେ ଗୋଟିଏ ଓ୍ବିକେଟ ହରାଇ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ। ଆସନ୍ତା ୮ ତାରିଖରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ଲଢ଼େଇ।

Leave a Reply

Your email address will not be published. Required fields are marked *