ଆଞ୍ଚଳିକ

ପବିତ୍ର କୃଷ୍ଣ ଜନ୍ମାଷ୍ଟମୀ |

Spread the love

ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି, ପବିତ୍ର କୃଷ୍ଣ ଜନ୍ମାଷ୍ଟମୀ । ପୌରାଣିକ ଆଖ୍ୟାନ ଅନୁସାରେ, ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ଏହି ଦିନ ଜନ୍ମ ନେଇଥିଲେ । କଂସକୁ ବଧ କରିବା ନିମନ୍ତେ ଦେବକୀଙ୍କ ଗର୍ଭରୁ ବନ୍ଦୀଶାଳାରେ ମାନବ ରୂପରେ ଜନ୍ମଗ୍ରହଣ କରିଥିଲେ ଶ୍ରୀକୃଷ୍ଣ । ଏହି ପବିତ୍ର ଉତ୍ସବରେ ଦହିହାଣ୍ଡି ଭଙ୍ଗା ପରମ୍ପରା ରହିଛି ।

ଆଜି ପବିତ୍ର ଜନ୍ମାଷ୍ଟମୀ । ଧରାବତରଣ କରିବେ ପ୍ରଭୁ ଶ୍ରୀକୃଷ୍ଣ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ସନ୍ଧ୍ୟା ଧୂପ ଶେଷ ହେବା ପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି କରାଯିବ । ଗତକାଲି ପ୍ରସବ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଯେଉଡ ଭୋଗ ସହ ଗର୍ଭ ଉଦକ ବନ୍ଦାପନା କରାଯାଇଥିଲା । ଆଜି ମହାଜନ ସେବକଙ୍କ ଦ୍ବାରା ଶ୍ରୀକୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହେବ ।

ଏହାସହ ଶ୍ରୀମନ୍ଦିର ସହ ଜଡିତ ବିଭିନ୍ନ ମଠବାଡି ମାନଙ୍କରେ ଶ୍ରୀକୃଷ୍ଣ ଜନ୍ମନୀତି କରାଯିବ । ସଂନ୍ଧ୍ୟାଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଭଣ୍ତାର ଘର ସମ୍ମୁଖ ଭାଗରେ ପୂଜାପଣ୍ତା ସେବାୟତ ମାନେ ପଞ୍ଚବର୍ଣ୍ଣ ମୁରୁଜରେ ଜନ୍ମମଣ୍ତଳୀ ଅଙ୍କନ କରିବେ । ସେଠାରେ ସୁନାର କୃଷ୍ଣ ମୁର୍ତ୍ତି ରଖାଯାଇ ଦକ୍ଷିଣ ଘରୁ ମଦନମୋହନଙ୍କୁ ଅଣାଯିବ । ଦୁଇଜଣ ମହାଜନ ସେବକ ଦେବକୀ ଓ ବସୁଦେବ ଚରିତ୍ର ହୋଇ ଏହି ଜନ୍ମନୀତି ପାଳନ କରିବେ । ପରେ ମଦନମୋହନଙ୍କୁ ନାଭିକଟାମଣ୍ତପକୁ ନିଆଯାଇ କୃଷ୍ଣଜନ୍ମ ଠାରୁ ଉପନୟନ ପର୍ଯ୍ୟନ୍ତ ନୀତି ଅନୁଷ୍ଠିତ ହେବ । ସେହିପରି ଜଗମୋହନ ନିକଟରେ ଏକ ଦୋଳିରେ ମଦନମୋହନଙ୍କୁ ରଖାଯାଇ ଶ୍ରୀକୃଷ୍ଣ ଜନ୍ମନୀତି ଶେଷ କରାଯିବ । ଆଜିଠାରୁ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଆରମ୍ଭ ହୋଇ କଂସବଧ ଲୀଳା ନୀତି ପର୍ଯ୍ୟନ୍ତ ଚାଲୁରହିବ ।

Leave a Reply

Your email address will not be published. Required fields are marked *