ସ୍ୱାସ୍ଥ୍ୟ

ମଧୁମେହ ଓ ଧୂମପାନ ଅଭ୍ୟାସ ଥିଲେ ଅଧିକ ମୋବାଇଲ ବ୍ୟବହାରଠାରୁ ଦୂରେଇ ରୁହନ୍ତୁ

Spread the love

ଅଧିକ ମୋବାଇଲ ଫୋନ ବ୍ୟବହାର କରୁଥିଲେ ହୃଦରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଏକ ନୂଆ ଅଧ୍ୟୟନରୁ ଏହି ତଥ୍ୟ ସାମ୍ନାକୁ ଆସୁଛି।କାନାଡାର ହୃଦରୋଗ ସମ୍ବନ୍ଧୀୟ ଏକ ଜର୍ନାଲରେ ଏ ସମ୍ପର୍କିତ ଗବେଷଣାମୂଳକ ରିପୋର୍ଟ ପ୍ରକାଶ ପାଇଛି। ସ୍ଵାସ୍ଥ୍ୟ ବିଶେଷଜ୍ଞମାନେ ଅଧ୍ୟୟନ ପାଇଁ ବ୍ରିଟେନର ବାୟୋବ୍ୟାଙ୍କରୁ ୪ ଲକ୍ଷ ୪୪ ହଜାର ୨୭ ଲୋକଙ୍କ ତଥ୍ୟ ସଂଗ୍ରହ କରି ଅଧ୍ୟୟନ କରିଥିଲେ। ଏମାନଙ୍କଠାରେ ପୂର୍ବରୁ ହୃଦରୋଗର କୌଣସି ଇତିହାସ ନ ଥିଲା। କିନ୍ତୁ ୨୦୦୬ରୁ ୨୦୧୦ ମଧ୍ୟରେ ଏହି ଲୋକମାନେ ମାତ୍ରାଧିକ ମୋବାଇଲ ଫୋନ ବ୍ୟବହାର କରିଥିବା ନେଇ ସ୍ଵୀକାର କରିଥିଲେ। ଏମାନଙ୍କ ମଧ୍ୟରୁ ଯେଉଁମାନେ ମଧୁମେହ ଏବଂ ଧୂମପାନ ଅଭ୍ୟାସରେ ଜଡ଼ିତ ଥିଲେ ସେମାନଙ୍କଠାରେ ପରବର୍ତ୍ତୀ ସମୟରେ ହୃଦରୋଗ ଦେଖାଦେଇଥିଲା।

ଚୀନର ଜଣେ ସ୍ଵାସ୍ଥ୍ୟ ବିଶେଷଜ୍ଞ ୟାନଜୁନ ଝାଙ୍ଗ କହିଛନ୍ତି, ବର୍ତ୍ତମାନ ଆଧୁନିକ ସମାଜରେ ସବୁଆଡ଼େ ମୋବାଇଲ ଫୋନର ବହୁଳ ବ୍ୟବହାର ହେଉଛି।ମୋବାଇଲ ଫୋନରୁ ନିର୍ଗତ ହେଉଥିବା ରେଡିଓ-ଫ୍ରିକ୍ୟୁଏନ୍ସି ଇଲେକ୍‌ଟ୍ରୋମ୍ୟାଗନେଟିକ୍‌ ଫିଲ୍ଡସ(ଆରଏଫ-ଇଏମଏଫ) ଶରୀରରେ ହାଇପୋଥାଲାମିକ୍‌-ପିଟ୍ୟୁଟାରୀ-ଅଡ୍ରେନାଲ ଆକ୍ସିସ, ଇନଫ୍ଲାମେଟୋରୀ ରେସପନ୍ସ ଏବଂ ଅକ୍ସଡେଟିଭ ଷ୍ଟ୍ରେସ ଆଦିକୁ ଅନିୟନ୍ତ୍ରିତ କରିଥାଏ। ଯାହାଦ୍ଵାରା ହୃତପିଣ୍ଡ ଏବଂ ରକ୍ତ ଧମନୀ ପ୍ରଭାବିତ ​‌ହୋଇଥାଏ।

ଅନ୍ୟ ଜଣେ ବିଶେଷଜ୍ଞ ଜିଆନହୁଇ କିନ୍‌ କହିଛନ୍ତି, ମୋବାଇଲ ଫୋନ ବ୍ୟବହାର ଏବଂ ହୃଦରୋଗ ମଧ୍ୟରେ ସମ୍ପର୍କ ଜାଣିବା ଲାଗି ଲୋକଙ୍କ ଶୋଇବା ଅଭ୍ୟାସ, ମାନସିକ ଅବସାଦ ଆଦି ଉପରେ ନଜର ରଖାଯାଇଥିଲା। ସ୍ଵଳ୍ପ ନିଦ୍ରା ଏବଂ ଖରାପ ମାନସିକ ସ୍ଵାସ୍ଥ୍ୟ ହୃଦରୋଗର କାରଣ ସାଜିପାରେ। ତା’ ସହିତ ଯେଉଁମାନଙ୍କଠାରେ ମଧୁମେହ ଏବଂ ଧୂମପାନ ଅଭ୍ୟାସ ରହିଥାଏ ସେମାନଙ୍କଠାରେ ହୃଦରୋଗ ଆଶଙ୍କା ଅଧିକ ଥାଏ।

Leave a Reply

Your email address will not be published. Required fields are marked *