ଝାରପଡ଼ା ଜେଲ୍ରୁ ଛୁରି ଜବତ
ପୁଣି ବିବାଦର କାଠଗଡ଼ାରେ ଠିଆହୋଇଛି ଝାରପଡ଼ା ଜେଲ୍। ନିକଟରେ ଘଟିଥିବା ଗ୍ୟାଙ୍ଗ୍ୱାର ଓ କଏଦୀ ମୃତ୍ୟୁ ପରେ ପରେ ଆଜି ପଦାକୁ ଆସିଛି କଏଦୀଙ୍କ ମଜଲିସୀର ଭିଡିଓ। ବ୍ରାଉନ୍ସୁଗାର ମାଫିଆ ନନ୍ଦୁ ରହୁଥିବା ସେଲ୍ ଭିତରୁ ଭାଇରାଲ୍ ହୋଇଥିବା ଭିଡିଓକୁ ନେଇ ଅକଳରେ ପଡ଼ିଛନ୍ତି ଜେଲ୍ କର୍ତ୍ତୃପକ୍ଷ।
ନନ୍ଦୁ ହାତରେ ଛୁରି ଧରି ମସ୍ତି କରୁଥିବା ବେଳେ ଅନ୍ୟ କଏଦୀମାନେ ଗଞ୍ଜେଇ ଦଳୁଥିବାର ଦୃଶ୍ୟ ଜେଲ୍ ସୁରକ୍ଷାର ବିକଳ ଚିତ୍ରକୁ ପଦାକୁ ଆଣିଛି। ଜେଲ୍ ଭିତରକୁ ନିଶା ଚାଲାଣ ପୁରୁଣା କଥା ଥିଲା। କିନ୍ତୁ ଜେଲ୍ ଭିତରକୁ ସ୍ମାର୍ଟଫୋନ୍ ଓ ମାରଣାସ୍ତ୍ର ମଧ୍ୟ ଯାଇପାରୁଛି ବୋଲି ସ୍ପଷ୍ଟ ହୋଇଛି। ଜେଲ୍ର ଏହି ଦୁର୍ବଳ ସୁରକ୍ଷା ବ୍ୟବସ୍ଥା ପାଇଁ କିଏ ଦାୟୀ, ସେନେଇ ତନାଘନା ଆରମ୍ଭ ହୋଇଛି। କିଛି ୱାର୍ଡରଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ଏବଂ ସେହି ଦିଗରେ ତଦନ୍ତ ଚାଲିଛି। ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଖୋଳତାଡ଼ ଚଳାଇଛି।

