ଦେଶ ବିଦେଶ

ସନାତନ ସନ୍ଥ ସମାଜ ବାର୍ଷିକ ଉତ୍ସବରେ ସନାତନୀ ଏକତାର ସ୍ୱର।

Spread the love

 

ପୁରୀ, ୬/୧ : ସନାତନ ସନ୍ଥ ସମାଜର ବାର୍ଷିକ ଉତ୍ସବ ପୁରୀ ନିକଟସ୍ଥ ଆନନ୍ଦ ଧାମ ଆଶ୍ରମ ପରିସରରେ ଏକ ଦିବ୍ୟ ବାତାବରଣ ମଧ୍ୟରେ ପାଳିତ ହୋଇଯାଇଛି । ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଅନେକ ସାଧୁସନ୍ଥ ଓ ମଠ ମହନ୍ତ ପ୍ରମୁଖ ଏକତ୍ରିତ ହୋଇ ଉତ୍ସବର ଗାରିମା ବର୍ଦ୍ଧନ କରିଥିଲେ । ବେଦମନ୍ତ୍ର ଉଚ୍ଚାରଣ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ଜ୍ୱଳନ କରି ସନ୍ଥସଭା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସ୍ଵାମୀ ଭଗବତାନନ୍ଦ ସରସ୍ଵତୀ ସମସ୍ତ ସନାତନ ସାଧୁସନ୍ଥଙ୍କୁ ଅଭିବାଦନ କରି ସ୍ବାଗତ ଜଣାଇବା ସହ ସନାତନ ସନ୍ଥ ସମାଜର ବାର୍ଷିକ ବିବରଣୀ ପାଠ କରି ଏହି ସଙ୍ଗଠନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ।

୨୦୨୫ ମସିହା ମହାକୁମ୍ଭର ବର୍ଷ ହୋଇଥିଲା ବେଳେ ସାଧୁସନ୍ଥଙ୍କ ସମେତ ସମସ୍ତ ହିନ୍ଦୁ ସମାଜ ପାଇଁ ଏହା ଏକ ବିଶେଷ ବର୍ଷ ବୋଲି ସେ କହିଥିଲେ । ୧୪୪ ବର୍ଷର ବ୍ୟବଧାନରେ ଏହି ବିଶେଷ ଯୋଗ ପଡୁଥିବାରୁ ଏଥିପାଇଁ ଯେଉଁ ବିଶେଷ ଆୟୋଜନ କରାଯାଇଛି ସନାତନୀ ହିନ୍ଦୁ ମାନଙ୍କର ଏକତା ପାଇଁ ଏକ ଉତ୍ସାହର ବାତାବରଣ ସୃଷ୍ଟି ହୋଇଛି ବୋଲି ମତ ପ୍ରକାଶ ପାଇଥିଲା । ନିକଟରେ ବାଂଲାଦେଶର ହିନ୍ଦୁ ସାଧୁସନ୍ଥଙ୍କ ଉପରେ ଘଟି ଯାଇଥିବା ଆକ୍ରମଣ ଓ ହିନ୍ଦୁଙ୍କ ଉପରେ ଚାଲିଥିବା ଭୟଙ୍କର ଅତ୍ୟାଚାର ବିରୁଦ୍ଧରେ ସନ୍ଥମାନେ ନିଜର କ୍ଷୋଭ ପ୍ରକଟ କରିଥିଲେ । ସାରା ବିଶ୍ବରେ ଗୋଟିଏ ବି ହିନ୍ଦୁ ରାଷ୍ଟ୍ର ନଥିବାରୁ ଅନ୍ତଃରାଷ୍ଟ୍ରୀୟ ମଞ୍ଚରେ ତଥା ମିଳିତ ଜାତିସଂଘରେ ହିନ୍ଦୁଙ୍କ ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ କରାଯାଇ ପାରୁନାହିଁ। ଏମିତି ଅବସ୍ଥାରେ ହିନ୍ଦୁ ଏକ ଅସହାୟ ଅନାଥ ପ୍ରଜାତି ଭଳି ପ୍ରତୀୟମାନ ହେଉଛି ବୋଲି କହିଥିଲେ ସ୍ବାମୀ ଜଗନ୍ନାଥାନନ୍ଦ ।

କେନ୍ଦ୍ରରେ ଗୋଟିଏ ରାଷ୍ଟ୍ରବାଦୀ ହିନ୍ଦୁ ମାନସିକତାର ସରକାର ଥାଇ ମଧ୍ୟ ସାମ୍ବିଧାନିକ ସଙ୍କଟ ଯୋଗୁଁ ଖୋଲାଖୋଲି ଭାବରେ କୌଣସି ପଦକ୍ଷେପ ନେବା ଦୂରର କଥା ଅନ୍ତଃରାଷ୍ଟ୍ରୀୟ ମଞ୍ଚରେ ଆମର ରାଷ୍ଟ୍ରଦୂତମାନେ କିଛି କହି ପାରୁନାହାନ୍ତି। ଏଣୁ ସମ୍ବିଧାନରୁ ସିକୁଲାର୍ ଶବ୍ଦ ହଟାଇ ଭାରତ ଏକ ସାର୍ବଭୌମ ସନାତନ ହିନ୍ଦୁ ରାଷ୍ଟ୍ର ରୂପେ ସ୍ପଷ୍ଟ ଘୋଷଣା କରିବାର ଆବଶ୍ୟକତା ରହିଛି ବୋଲି ସ୍ବାମୀ ଶୁଭାନନ୍ଦ ମତବ୍ୟକ୍ତ କରିଛନ୍ତି । ହିନ୍ଦୁ ସମାଜର ସାମାଜିକ ସୁରକ୍ଷା ଓ ସନାତନ ଧର୍ମ ସଂସ୍କୃତିର ସୁରକ୍ଷା ପାଇଁ ଏହା ସମୟର ଆବଶ୍ୟକତା ବୋଲି ସେ କହିଛନ୍ତି । କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନର ପ୍ରତିନିଧି ତଥା ଓଡ଼ିଶା ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୀନବନ୍ଧୁ ଷଡ଼ଙ୍ଗୀ ଭାରତର ଅନେକ ମୌଳିକ ସମସ୍ୟାର ସମାଧାନ କେବଳ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବାରେ ନିହିତ ଅଛି ବୋଲି ମତବ୍ୟକ୍ତ କରିଥିଲେ।

ଚଳିତ ବର୍ଷ ମହାକୁମ୍ଭର ବର୍ଷ ହୋଇଥିବା ବେଳେ ସନାତନ ହିନ୍ଦୁ ଧର୍ମର ପ୍ରତିଷ୍ଠା ପାଇଁ ଆମକୁ ବିଶେଷ ଭାବରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସ୍ବାମୀ ଶାଶ୍ଵତାନନ୍ଦ ସରସ୍ଵତୀ ମତବ୍ୟକ୍ତ କରିଛନ୍ତି। ଚାରିଧାମ ସମେତ ଅଯୋଧ୍ୟା, ଉଜ୍ଜୟିନୀ, ନାସିକ୍, ତିରୁପତି ଭଳି ପ୍ରମୁଖ ତୀର୍ଥସ୍ଥଳୀ ମାନଙ୍କରେ ଓଡ଼ିଆ ଲୋକଙ୍କ ରହିବା ପାଇଁ ଓଡ଼ିଶା ଭବନ ଭଳି ଆଶ୍ରୟସ୍ଥଳୀ ନିର୍ମାଣ କରିବା ସେ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଛନ୍ତି । ଓଡ଼ିଶା ଉତ୍ଥାନ ମହାସଭା ପକ୍ଷରୁ ଡଃ ବିପିନ ବିହାରୀ ମିଶ୍ର ଉପସ୍ଥିତ ରହି ଏହି ପ୍ରସ୍ତାବ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ସାଧୁସନ୍ଥ ମାନଙ୍କ ପାଖରେ ସରକାରଙ୍କ ପକ୍ଷରୁ କୌଣସି ଯୋଜନା ପହଞ୍ଚି ପାରୁନାହିଁ । କାରଣ ଏଥିପାଇଁ ଆବଶ୍ୟକ ପଡୁଥିବା ରାସନ୍ କାର୍ଡ ଇତ୍ୟାଦି ସାଧୁସନ୍ଥଙ୍କ ପାଖରେ ନଥାଏ । ଅନ୍ୟ ପକ୍ଷରେ ସନ୍ତାନ ସନ୍ତତି ନଥିବା ବେଳେ ବାର୍ଦ୍ଧକ୍ୟ ଓ ରୁଗ୍ନାବସ୍ଥାରେ ଅସହାୟତା ବୋଧ ହୁଏ । ଏଥିପାଇଁ ରାଜ୍ୟ ସରକାର ସ୍ଵତନ୍ତ୍ର ଭାବରେ ସ୍ବାସ୍ଥ୍ୟସେବା କାର୍ଡ ପ୍ରଦାନ କରିବାକୁ ଦାବି ରଖାଯିବ ବୋଲି ସେ କହିଛନ୍ତି ।

ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମହନ୍ତ ରାମକୃଷ୍ଣ ଦାସ ମହାରାଜ, ମହନ୍ତ ସୁବଳ ଚରଣ ମହାରାଜ, ସ୍ବାମୀ ବ୍ରହ୍ମସ୍ୱରୂପାନନ୍ଦ ପୁରୀ, ଭାସ୍କରତୀର୍ଥ ପୁରୀ, ହରିଭକ୍ତାନନ୍ଦ ପୁରୀ, ସ୍ଵାମୀ ଦିବ୍ୟାନନ୍ଦ ସରସ୍ଵତୀ, ଦାମୋଦରାନନ୍ଦ ସରସ୍ଵତୀ, ଜଗଦୀଶାନନ୍ଦ ସରସ୍ଵତୀ, ମହନ୍ତ ପୂର୍ଣାନନ୍ଦ ଦାସ ମହାରାଜ ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶା ଉତ୍ଥାନ ମହାସଭା ପକ୍ଷରୁ ଯୋଗାଚାର୍ଯ୍ୟ ଡଃ ବିଶ୍ବରଂଜନ ରଥ, ପ୍ରିୟବ୍ରତ ରାଉତ, ସୌଦାମିନୀ ରାଉତ, ଉଜ୍ଜଳ ପଣ୍ଡା, ଡଃ ସଂଜିତ୍ ପଣ୍ଡା, ଦୁର୍ଗାଚରଣ ରାଉତ, ସଚ୍ଚିଦାନନ୍ଦ ବେହେରା, ଟାଇଫୁନ୍ ପରିଜା, ନମିତା ମାଧୀ, ଦେବାଶିଷ ପାଣ୍ଡେ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *