ରାଜ୍ୟ

ବିଧାନସଭାରେ ଆଜି ବିଶ୍ବବିଦ୍ୟାଳୟ ସଂ‌ଶୋଧନ ବିଲ୍‌ ଉପରେ ହୋଇଛି ଲମ୍ବା ବିତର୍କ !

Spread the love

ଓଡ଼ିଶା ବିଧାନସଭାରେ ଆଜି ବିଶ୍ବବିଦ୍ୟାଳୟ ସଂ‌ଶୋଧନ ବିଲ୍‌ ଉପରେ ଲମ୍ବା ବିତର୍କ ହୋଇଛି। ଅପରାହ୍ନ ୪ଟା ୬ରୁ ଆରମ୍ଭ ହୋଇଥିବା ଏହି ବିତର୍କ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଅର୍ଥାତ୍ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଛି। ବିରୋଧୀ ଦଳ ବିଜେଡିର ବିଧାୟକମାନେ ଏହାକୁ ତୀବ୍ର ବିରୋଧ କରିବା ସହ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଥିଲେ। ବିଶ୍ବବିଦ୍ୟାଳୟର ସ୍ବାୟତ୍ତତା ବଜାୟ ରଖିବାକୁ ଏହି ସଂଶୋଧନ ଜରୁରି  ବୋଲି ଶାସକ ଦଳ ବିଧାୟକ ଯୁକ୍ତି ବାଢ଼ିଥିଲେ।ବିଧାନସଭା ଗୃହ କାର୍ଯ୍ୟ ରାତି ୯ଟା ପର୍ଯ୍ୟନ୍ତ ହେବାକୁ ନିୟମ ରହିଛି। କିନ୍ତୁ ଆଜି ଏକ ମୋସନ୍ ଅଣାଯାଇ ନିୟମରେ ପରିବର୍ତ୍ତନ କରାଯାଇଥିଲା। ୯ଟା ପରେ ଗୃହ କାର୍ଯ୍ୟ ଚଳାଇବାକୁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରସ୍ତାବ ଆଣିଥିଲେ। ତାହା ଗୃହୀତ ହେବାପରେ ଗୃହ କାର୍ଯ୍ୟ ଜାରି ରହିଥିଲା। ପ୍ରାୟ ସାତ ଘଣ୍ଟାର ବିତର୍କ ପରେ ରାତି ୧୧ଟା ବେଳକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଉତ୍ତର ରଖିଥିଲେ। ତାହା ପରେ ପୁଣି ବିଲ୍‌ରେ ଥିବା ୧୨ଟି ଧାରା ଓ ଗୋଟିଏ ଅନୁସୂଚୀ ଉପରେ ବିରୋଧୀ ଆଣିଥିବା ସଂଶୋଧନ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଆଲୋଚନା ଆରମ୍ଭ କରି ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ, ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ, ପ୍ରଫେସର ପଦବି କୋର୍ଟ ମାମଲା ଯୋଗୁଁ ଦୀର୍ଘ ବର୍ଷ ଧରି ପୂରଣ ହୋଇ ପାରୁନଥିବାରୁ ତତ୍କାଳୀନ କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ ତାଙ୍କ ସଚିବଙ୍କ ଦ୍ୱାରା ମୁଖ୍ୟ ସଚିବଙ୍କୁ ଚିଠି ଲେଖିଥିଲେ। କୌଣସି ସରକାରୀ ଏଜେନ୍ସି ଦ୍ୱାରା ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପ୍ରକ୍ରିୟା କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ଏହା ପରେ ୨୦୨୦ ନଭେମ୍ବର ୯ରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ୨୦୨୦ ଆସିଥିଲା ଏବଂ ଓପିଏସ୍‌ସି ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟା ହୋଇଥିଲା। ଏବେ ମାମଲା

ସୁପ୍ରିମ୍‌କୋର୍ଟରେ ବିଚାରାଧୀନ ଥିଲା ବେଳେ ରାଜ୍ୟ ସରକାର କିପରି ଏହି ସଂଶୋଧନ ଆଣୁଛନ୍ତି? ଏଥିପାଇଁ କଣ ନ୍ୟାୟାଳୟଠାରୁ ସରକାର ଅନୁମତି ଆଣିଛନ୍ତି କି ବୋଲି ଶ୍ରୀ ସ୍ୱାଇଁ ପ୍ରଶ୍ନ କରିଥିଲେ। ଅରୁଣ ସାହୁ କହିଥିଲେ, ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ (ସଂଶୋଧିତ) ୨୦୨୦ରେ  ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତତା ନଷ୍ଟ ହେଉଛି ବୋଲି ସରକାର କହୁଛନ୍ତି। ଏନେଇ ସରକାର ପ୍ରମାଣ ଦେଇପାରିବେ କି? ୨୦୨୦ ମସିହାରେ ହୋଇଥିବା ସଂଶୋଧନକୁ ଏଡ଼ାଇବା ପାଇଁ ଏହି ନୂଆ ବିଲ୍‌ ଅଣାଯାଇଛି। ହେଲେ ଏହାକୁ ତରବରିଆ ଭାବେ ଗୃହୀତ କରାନଯାଉ। ଜାତୀୟ ଶିକ୍ଷା ନୀତିରେ ଯାହା ଅଛି, ଏହି ବିଲ୍ ତାହା ବିରୋଧରେ ଯାଉଛି। ଯଦି ଓପିଏସ୍‌ସି ଦ୍ୱାରା ନିଯୁକ୍ତି ପ୍ରକ୍ରିୟା ଭୁଲ, ତେବେ ସରକାର ଏହି ବିଲ୍‌ରେ ସଂଶୋଧନ ଆଣିବା ପରେ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପାଇଥିବା ୨୧୫ ଜଣଙ୍କୁ ଚାକିରିରୁ କ’ଣ ବିଦା କରିଦେବେ? କାହିଁକି ସିନେଟ୍ ବ୍ୟବସ୍ଥା ଉଠାଯାଇଥିଲା, କିପରି ଅନ୍ୟ ରାଜ୍ୟରେ ରାଜ୍ୟ ସରକାର କୁଳପତି ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ଦେଉଛନ୍ତି, ତାହାର ଉଦାହରଣ ଦେଇଥିଲେ।  ଶ୍ରୀ ସାହୁ ୧ ଘଣ୍ଟା ୪୭ ମିନିଟ୍‌ର ରେକର୍ଡ ସମୟ ମତ ରଖିଥିଲେ। ବିରୋଧୀ ଦଳ ପକ୍ଷରୁ ଗଣେଶ୍ୱର ବେହେରା, ଧ୍ରୁବଚରଣ ସାହୁ, ଦେବୀରଞ୍ଜନ ତ୍ରିପାଠୀ, ରମେଶ ଚନ୍ଦ୍ର ବେହେରା, ଗୌତମବୁଦ୍ଧ ଦାସ ଓ ବ୍ୟୋମକେଶ ରାୟ ଆଲୋଚନାରେ ଭାଗନେଇଥିଲେ।  ଶାସକ ଦଳ ପକ୍ଷରୁ ଟଙ୍କଧର ତ୍ରିପାଠୀ ଆଲୋଚନା ଆରମ୍ଭ କରି ଏହି ବିଲ୍ ଦ୍ବାରା ଶିକ୍ଷାନୁଷ୍ଠାନର ସ୍ୱାୟତ୍ତତା ବଜାୟ ରହିବା ସହ ଶିକ୍ଷାକୁ ସର୍ବସ୍ପର୍ଶୀ ଓ ସର୍ବବ୍ୟାପୀ କରାଯିବ ବୋଲି କହିଥିଲେ। ପୂର୍ବରୁ ରାଜନୈତିକ ଉଦ୍ଦେଶ୍ୟ ରଖି ସଂଶୋଧନ ଅଣାଯାଇଥିଲା। ସମସ୍ତଙ୍କ ସହିତ ଆଲୋଚନା କରାଯାଇନଥିବାରୁ ସେତେବେଳେ ବିଭିନ୍ନ ସଙ୍ଗଠନ ଆନ୍ଦୋଳନ କରିଥିଲେ। ସେ ପ୍ରଶ୍ନ କରିଥିଲେ ଯେ କୁଳପତି ନିଯୁକ୍ତି କମିଟିରେ କାହିଁକି ଜଣେ ଶିକ୍ଷାବିତ୍‌ଙ୍କୁ ନରଖି ଜଣେ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାର ଅଫିସରଙ୍କୁ ରଖିବା ବ୍ୟବସ୍ଥା କରିଥିଲ? ଆମେ ଶିକ୍ଷାବିତ୍‌ଙ୍କୁ ରଖିଛୁ। କୁଳପତିଙ୍କ ଅବସର ବୟସ ୬୫ରୁ ୭୦ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ସେହିପରି ଇରାଶିଷ ଆଚାର୍ଯ୍ୟ କହିଥିଲେ, ରାଜ୍ୟ ସରକାରଙ୍କ ଅଧିକାର ଅଛି; କୋର୍ଟରେ ମାମଲା ଚାଲିଥିଲେ ବି ବିଧେୟକ ଆଣିପାରିବେ। ଶାସକ ଦଳ ପକ୍ଷରୁ ଅମର ନାୟକ, ସନ୍ତୋଷ ଖଟୁଆ, ସିଦ୍ଧାନ୍ତ ମହାପାତ୍ର ଓ ବାବୁ ସିଂ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍‌ ଉପରେ ଲମ୍ବା ବିତର୍କ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉତ୍ତର ରଖିଥିଲେ। ବିରୋଧୀଙ୍କୁ ଟାର୍ଗେଟ୍‌ କରି ମନ୍ତ୍ରୀ କହିଲେ, ବିରୋଧୀ କହୁଛନ୍ତି କାହିଁକି ତରବରିଆ ଭାବେ ବିଲ୍‌ ଗୃହୀତ କରାଯାଉଛି। ସେମାନେ ଜାଣି ରଖିବା ଉଚିତ ଯେ ଏବେ ରାଜ୍ୟରେ ବିଶ୍ବବିଦ୍ୟାଳୟଗୁଡ଼ିକ ୩୫ ପ୍ରତିଶତ ଶିକ୍ଷକ ପଦବି, ୨୯ ପ୍ରତିଶତ ଅଣଶିକ୍ଷକ ପଦବିରେ ଚାଲିଛି। ଆମେ ସବୁ ପଦବି ପୂରଣ ପାଇଁ ଏହି ସଂଶୋଧନ ବିଲ୍‌ ଆଣିଛୁ। ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ପଦବି ପାଇଁ ହେଉଥିବା ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ କରିବାକୁ ୟୁଜିସି ରାଜ୍ୟ ସରକାରଙ୍କୁ ଚିଠି ଲେଖିବା ପରେ ବନ୍ଦ ହୋଇଥିଲା। ଯଦି ୟୁଜିସିର ନିୟମ ଭୁଲ ଥିଲା, ତେବେ କାହିଁକି ନିଯୁକ୍ତି ପ୍ରକ୍ରିୟା ବନ୍ଦ କରିଥିଲ? ଓପିଏସ୍‌ସି ଦ୍ୱାରା ହୋଇଥିବା ନିଯୁକ୍ତିକୁ ହାଇକୋର୍ଟରେ ମଧ୍ୟ ଚ୍ୟାଲେଞ୍ଜ କରାଯାଇଥିଲା। ଏପରିକି ଏହି ନିୟମ ବଳରେ ଦୁଇଜଣ କୁଳପତିଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଅନ୍ୟ ନିଯୁକ୍ତି କାହିଁକି ବନ୍ଦ କରାଯାଇଥିଲା? କାହିଁକି ହାଇକୋର୍ଟରେ ଆବେଦନ କରି ନଥିବା ବ୍ୟକ୍ତିଙ୍କୁ ନିଯୁକ୍ତି ମିଳିଥିବା କଥା ଉଠିଲା? ସେହିପରି ୟୁଜିସି ପଇସା ଦେଉନଥିବା ନେଇ ଅଭିଯୋଗ ଉଠାଯାଉଛି। ସେମାନେ ଜାଣିବା ଦରକାର ଯେ ୟୁଜିସି ଗବେଷଣା ପାଇଁ ଅର୍ଥ ଦିଏ। ଶିକ୍ଷା ମନ୍ତ୍ରାଳୟ ଭିତ୍ତିଭୂମି ପାଇଁ ଅର୍ଥ ଦିଏ। ମନ୍ତ୍ରୀ କହିଥିଲେ, ପୂର୍ବ ସରକାର ଅଫିସରମାନଙ୍କ ଦ୍ୱାରା କୁଳପତି ବାଛିବାକୁ ଷଡ଼୍‌ଯନ୍ତ୍ର କରିଥିଲେ। ଆମେ ବିଶ୍ୱବିଦ୍ୟାଳୟର ସ୍ବାୟତ୍ତତା ଫେରାଇ ଆଣିବାକୁ ନୂଆ ଆଇନ ଆଣିଛୁ। ବିଶ୍ୱବିଦ୍ୟାଳୟଗୁଡ଼ିକୁ ସରକାରଙ୍କ ନିୟନ୍ତ୍ରଣରୁ ମୁକ୍ତ କରିବୁ। ଗତ ସରକାର ଯେଉଁ ପାପ କରିଛନ୍ତି, ସେଥିପାଇଁ ସେମାନେ ତ କ୍ଷମା ମାଗି ପାରିବେ ନାହିଁ। ମୁଁ ଶିକ୍ଷକ ସମାଜକୁ କ୍ଷମା ମାଗୁଛି।

Leave a Reply

Your email address will not be published. Required fields are marked *