ରାଜ୍ୟ

ମହାପ୍ରଭୁଙ୍କ ଦୟଣା ଚୋରି ନୀତି, ୨ଦିନ ରତ୍ନଭଣ୍ଡାର ମରାମତି ବନ୍ଦ

Spread the love

ବୁଧବାର ଦ୍ୱାଦଶୀ  ତିଥିରେ ବଡ଼ଦେଉଳରେ କନ୍ଦର୍ପାଧିବାସ  ନୀତି ସମ୍ପନ୍ନ ହୋଇଛି । ଠାକୁରଙ୍କ ଚନ୍ଦନଲାଗି ନୀତି ବଢ଼ିବା ପରେ କନ୍ଦର୍ପ  ପଟି ଅଧିବାସ ହୋଇଥିଲା । କନ୍ଦର୍ପ  ପଟିଙ୍କୁ ମହାସ୍ନାନ କରାଯାଇ ଭୋଗ  ଅର୍ପଣ କରାଯାଇଥିଲା । ଏହାପରେ  ବନ୍ଦାପନା ସମ୍ପନ୍ନ ହୋଇଥିଲା । ଗୁରୁବାର  ଠାକୁରଙ୍କ ଦୟଣା ଚୋରି ନୀତି ପାଳନ  ହେବ । ଜଗନ୍ନାଥ ବଲ୍ଲଭକୁ ଠାକୁରଙ୍କ  ସହ କନ୍ଦର୍ପପଟି ବିଜେ ହେବେ । ଦୟଣା  ଚୋରି କରି ଠାକୁରେ ବନ୍ଧା ହେବେ ।

ତ୍ରୟୋଦଶୀରେ ମହାପ୍ରଭୁଙ୍କ  ଦୟଣା ଚୋରି ନୀତି ଜଗନ୍ନାଥ ବଲ୍ଲଭ  ମଠ ପରିସରରେ ଅନୁଷ୍ଠିତ ହେବ ।  ଇନ୍ଦ୍ରଦେବଙ୍କ ଉଦ୍ୟାନ ମାଳି କନ୍ଦର୍ପଙ୍କୁ  ବାନ୍ଧି ଦୟଣା ଗଛ ଚୋରି କରିଥିବେ  ଶ୍ରୀରାମକୃଷ୍ଣ । ପରେ ସୁବାସିତ ଦୟଣା  ଗଛ ଚୋରି କରିବା ଅଭିଯୋଗରେ  ଠାକୁରେ ବନ୍ଧା ହେବେ । ଶ୍ରୀମନ୍ଦିର  ଭୋଗମଣ୍ଡପ ଘରେ ବନ୍ଧନ ଅବସ୍ଥାରେ  ଠାକୁରଙ୍କୁ ରାତି ବିତାଇବାକୁ ହେବ ।  ସେଦିନ ମହାପ୍ରଭୁଙ୍କ ଆଜ୍ଞାମାଳ  ପାଇ ଶ୍ରୀରାମକୃଷ୍ଣ ପାଲିଙ୍କିରେ  ବିଜେ ହୋଇ ମଠରେ ପହଞ୍ଚିବେ ।  ଅଧିବାସ ହୋଇଥିବା କନ୍ଦର୍ପ  ପଟିଙ୍କୁ ପାଲିଙ୍କି ସମ୍ମୁଖରେ ସ୍ଥାପନା  କରାଯାଇଥିବ । ଶ୍ରୀରାମକୃଷ୍ଣ ଓ  କନ୍ଦର୍ପପଟି ମଠ ପରସରରେ ବିଜେ  ହେବେ ।

କନ୍ଦର୍ପପଟିଙ୍କୁ ସମ୍ମୁଖରେ  ବିଜେ କରାଯାଇ ବିଧି ଅନୁସାରେ ହୋମ ଯଜ୍ଞ ହେବ । ପ୍ରସାଦ ଲାଗି,  ବନ୍ଦାପନା ଓ ଚାମର ଆଲଟ ବଢିବ । ଠାକୁରଙ୍କୁ ଖିରି ପିଠା ଭୋଗ ଲାଗିବ ।  ପରେ ବିଧି ମତେ ମଦନମୋହନ,  ଭୂଦେବୀ ଓ ଶ୍ରୀଦେବୀଙ୍କୁ ଦୟଣା  ଲାଗି କରାଯିବ । ଏହି ସ୍ୱତନ୍ତ୍ର ନୀତି  ପାଇଁ ଗୁରୁବାର ଓ ଶୁକ୍ରବାର ଦୁଇ  ଦିନ ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ବନ୍ଦ ରହିବ ।

Leave a Reply

Your email address will not be published. Required fields are marked *