କ୍ରୀଡାଦେଶ ବିଦେଶ

ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ, ଇମେଲ୍ ମାଧ୍ୟମରେ ଧମକ ପଠାଇଲା ISIS କାଶ୍ମୀର

Spread the love

ପହଲଗାମ୍‌ ଆତଙ୍କୀ ହମ୍‌ଲା ମଧ୍ୟରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଗମ୍ଭୀରଙ୍କୁ ହତ୍ୟା ଧମକ ମିଳିଛି । କୁହାଯାଉଛି ଯେ ଗମ୍ଭୀରଙ୍କୁ ଇମେଲ୍ ମାଧ୍ୟମରେ ଧମକ ପଠାଯାଇଥିଲା । ଯେଉଁଠାରେ କେହି କେବଳ ତିନୋଟି ଶବ୍ଦ ଲେଖିଥିଲେ – I kill You । ତେବେ ଗମ୍ଭୀର ତୁରନ୍ତ ଏହି ଇମେଲ୍ ବିଷୟରେ ପୋଲିସକୁ ଜଣାଇଥିଲେ ଏବଂ ଆନୁଷ୍ଠାନିକ ଭାବରେ ଅଭିଯୋଗ ଦାଖଲ କରିଥିଲେ । ସେପଟେ ଏହି ମାମଲାର ଗମ୍ଭୀରତା ଦେଖି, ଦିଲ୍ଲୀ ପୋଲିସ ତୁରନ୍ତ ସକ୍ରିୟ ହୋଇଯାଇଛି । ପ୍ରାରମ୍ଭିକ ତଦନ୍ତ ଅନୁସାରେ ଏହି ଧମକ ISIS କାଶ୍ମୀର ଦେଇଛି ବୋଲି ପୋଲିସ୍ ଜାଣିବାକୁ ପାଇଛି ।

ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଗୌତମ ଗମ୍ଭୀରଙ୍କୁ ଏହି ଇମେଲ୍ କିଏ ପଠାଇଛି ସେହି ବ୍ୟକ୍ତିକୁ ଚିହ୍ନଟ କରିବାକୁ ପ୍ରୟାସ କରାଯାଉଛି । ଏଥିପାଇଁ, ସାଇବର ସେଲ୍ ଟିମ୍ ଇମେଲକୁ ଟ୍ରାକ୍ କରିବାକୁ ଚେଷ୍ଟା କରୁଛି ଏବଂ ବୈଷୟିକ ବିଶ୍ଳେଷଣ ମାଧ୍ୟମରେ ଏହାର ତଦନ୍ତ ଜାରି ରହିଛି । ଏହି ଇମେଲ୍ କିଏ ଏବଂ କେଉଁଠାରୁ ପଠାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଅନ୍ୟପକ୍ଷରେ ଗୌତମ ଗମ୍ଭୀରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଗୌତମ ଗମ୍ଭୀରଙ୍କୁ ‘ISIS କାଶ୍ମୀର’ ପକ୍ଷରୁ ହତ୍ୟା ଧମକ ମିଳିଛି । ବୁଧବାର ଦିନ ସେ ଦିଲ୍ଲୀ ପୋଲିସ ସହିତ ଯୋଗାଯୋଗ କରି ଏହି ମାମଲାରେ ଏଫଆଇଆର ପଞ୍ଜିକରଣ କରିଥିଲେ । ଏହା ସହିତ ସେ ତାଙ୍କ ପରିବାରର ସୁରକ୍ଷା ବୃଦ୍ଧି କରିବାକୁ ମଧ୍ୟ ଦାବି କରିଛନ୍ତି ।

ତେବେ ଏହି ମାମଲାରେ ଦିଲ୍ଲୀ ପୋଲିସ ପକ୍ଷରୁ ପ୍ରତିକ୍ରିୟା ମଧ୍ୟ ଆସିଛି । ଦିଲ୍ଲୀ ପୋଲିସ କହିଛି- ଆମେ ଏକ ଇମେଲ୍ ବିଷୟରେ ସୂଚନା ପାଇଛୁ, ଯେଉଁଥିରେ ଗୌତମ ଗମ୍ଭୀରଙ୍କୁ ଧମକ ଦିଆଯାଇଛି । ଆମେ ଏହି ଘଟଣାର ତଦନ୍ତ କରୁଛୁ । ଗମ୍ଭୀର ପୂର୍ବରୁ ଦିଲ୍ଲୀ ପୋଲିସର ସୁରକ୍ଷାରେ ଅଛନ୍ତି । ଆମେ ତାଙ୍କ ସୁରକ୍ଷା ସମ୍ବନ୍ଧୀୟ ନିର୍ଦ୍ଦିଷ୍ଟ ସୂଚନା ସାର୍ବଜନୀନ କରିପାରିବୁ ନାହିଁ ବୋଲି ଦିଲ୍ଲୀ ପୋଲିସ୍‌ ପକ୍ଷରୁ କୁହାଯାଇଛି । ତେବେ ଏହା ପ୍ରଥମ ଥର ନୁହେଁ ଯେ ଗୌତମ ଗମ୍ଭୀରଙ୍କୁ ଧମକ ମିଳିଛି, ଏହା ପୂର୍ବରୁ ମଧ୍ୟ ଗମ୍ଭୀରଙ୍କୁ ଧମକ ମିଳିଛି । ନଭେମ୍ବର ୨୦୨୧ରେ ଯେତେବେଳେ ଗୌତମ ଗମ୍ଭୀର ସାଂସଦ ଥିଲେ ସେ ଏହିପରି ହତ୍ୟା ଧମକ ପାଇଥିଲେ ।

Leave a Reply

Your email address will not be published. Required fields are marked *