କେବେ ହେବ ଚନ୍ଦନ ଯାତ୍ରା ଆରମ୍ଭ
ଓଡ଼ିଆ ଜାତିର ଇଷ୍ଟଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ଅତ୍ୟନ୍ତ ଉତ୍ସବ ପ୍ରିୟ। ତାଙ୍କ ଦୈନନ୍ଦିନ ଚଳଣୀ ଭିତରେ ଅନେକ ଛୋଟ ବଡ଼ ଉତ୍ସବ ଓ ପର୍ବ ଲୁଚି ରହିଥାଏ। ତେବେ ଆସନ୍ତୁ ଜାଣିବା ଚନ୍ଦନ ଯାତ୍ରୀ ବିଷୟରେ ଅଧିକ କିଛି।
ଆମ କାଳିଆ ଠାକୁର ହେଉଛନ୍ତି ଖୁବ୍ ଉତ୍ସବ ପ୍ରିୟ। ସେଥିପାଇଁ ତାଙ୍କ ଶ୍ରୀମନ୍ଦିରରେ ବର୍ଷସାରା ସ୍ନାନ ଯାତ୍ରା, ଗୁଣ୍ଡିଚା ଯାତ୍ରା, ମକର ସଂକ୍ରାନ୍ତି, ଦୋଳ ଉତ୍ସବ, ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା ପରି ବିଭିନ୍ନ ପର୍ବ ପର୍ବାଣୀ ଯାନିଯାତ୍ରା ଲାଗି ରହିଥାଏ। ଭାରତରେ ଥିବା ହଜାର ହଜାର ଦେବ ମନ୍ଦିରରେ ଗରମ ଦିନେ ଆଲଟ ପଡେ, ଠାକୁର ଚନ୍ଦନ ଲାଗି ହୁଅନ୍ତି। ମାତ୍ର ସ୍ଵତନ୍ତ୍ର ଯାତ୍ରା ତଥା ଦୈବପର୍ବ ରୂପେ ଏହା ସମ୍ପୂର୍ଣ୍ଣ ଓଡ଼ିଶାରେ ହିଁ ପ୍ରସିଦ୍ଧ।
ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ। ଏହା ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟାଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ବା ସ୍ନାନପୂର୍ଣ୍ଣିମାର ପୂର୍ବଦିନ ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ। ଏହା ଅକ୍ଷୟ ତୃତୀୟାଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ ଦିନ ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ।ପୁରୀରେ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ମହାଆଡମ୍ବର ସହକାରେ ପାଳନ କରଯାଏ। କେବଳ ପୁରୀରେ ନୁହେଁ, ଓଡ଼ିଶାର ଅନ୍ୟାନ୍ୟ ବୈଷ୍ଣବ ପୀଠ, ବିଶେଷ କରି ରାଜା ମହାରଜା ଓ ଜମିଦାରମାନଙ୍କ ଗଡ଼ରେ ଥିବା ପୋଖରୀରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୁଏ। କେତେ ସ୍ଥାନରେ ଚନ୍ଦନଯାତ୍ରା ସରିବା ପରେ ପୁଣି ଚନ୍ଦନ ଯାତ୍ରା ହୁଏ। ଏହାକୁ ଓଲଟ ଚନ୍ଦନ ଯାତ୍ରା କହନ୍ତି। ଚନ୍ଦନଯାତ୍ରାରେ ବିଭିନ୍ନ ଲେକନାଟ୍ୟ, ନୃତ୍ୟ, ଯାତ୍ରା, ପାଲା ପ୍ରଭୃତି ପରିବେଷଣ କରାଯାଏ।
ପୁରାଣରେ ଚନ୍ଦନ ଯାତ୍ରା
ପୁରାଣ ଅନୁସାରେ ସତ୍ୟ ଯୁଗରେ ନୃସିଂହ ଦେବ ଏହି ଯାତ୍ରାର ଆୟୋଜନ କରିଥିଲେ। ଦ୍ୱାପର ଯୁଗରେ ପଞ୍ଚୁପାଣ୍ଡବ ଅଜ୍ଞାତବାସ ପରେ ବିରାଟ ରାଜାଙ୍କ ନିକଟରେ ନିଜର ପ୍ରକୃତ ପରିଚୟ ପ୍ରଦାନ କରିଥିଲେ। ବିରାଟ ରାଜା ଶ୍ରୀକୃଷ୍ଣ ଓ ବଳରାମଙ୍କୁ ରାମକୃଷ୍ଣ ରୂପରେ ପଞ୍ଚୁପାଣ୍ଡବଙ୍କ ସହିତ ଦର୍ଶନ କରିବା ପାଇଁ ଇଚ୍ଛା ପ୍ରକାଶ କରିବାରୁ ଭଗବାନ ଶ୍ରୀକୃଷ୍ଣ ତାଙ୍କର ଇଚ୍ଛା ପୂରଣ ପାଇଁ ସମ୍ମତ ହୋଇଥିଲେ। ଏହାପରେ ଏକ ବିରାଟ ଜଳାଶୟ ସୃଷ୍ଟି କରାଯାଇ ଜଳକେଳି ମଣ୍ଡପ ନିର୍ମାଣ କରାଯାଇଥିଲା। ଉପଲବ୍ୟ ଓ ବିଭାସ୍ତୁ ନଗରୀରେ ଏହି ଉତ୍ସବ ସମ୍ପନ୍ନ ହୋଇଥିଲା। ସମ୍ଭବତଃ ଏହି କାରଣରୁ ମଦନମୋହନ ଓ ରାମକୃଷ୍ଣଙ୍କ ସହ ପଞ୍ଚୁପାଣ୍ଡବ ଜଳକ୍ରୀଡ଼ା ପାଇଁ ସରୋବରକୁ ଯାତ୍ରା କରିଥାନ୍ତି।

