ଅପରାଧ

ଏମିତି ଡାକ୍ତର, ଯିଏ ଶବ ଗାଏବ୍ କରିବାକୁ କୁମ୍ଭୀର ମୁହଁକୁ ଫିଙ୍ଗି ଦେଉଥିଲା…

Spread the love

ସେପେଶାରେ ଡାକ୍ତର। ବୃତ୍ତି ସିନା ଡାକ୍ତର, କାମ ସବୁ କଂସେଇଠୁ ବି ହୀନ। ନିୟମିତ ମଣିଷ ମାରେ। ମଣିଷ ମାରିବା ପରେ ଶବ ଗାଏବ କରିବାକୁ କୁମ୍ଭୀର ମୁହଁରେ ଫିଙ୍ଗିଦିଏ। କୁମ୍ଭୀରମାନେ ମଣିଷ ଶବ ଖାଇ ବଢ଼ୁଥିଲେ। ଏମିତି ଜଣେ କଂସେଇ ଡାକ୍ତର ୫୦ରୁ ଅଧିକ ମଣିଷ ଶିକାର କରିଛି। ପୁଲିସ ହାତରେ ବନ୍ଧା ହେବା ପରେ ଜେଲରେ ସଜା କାଟୁଥିଲା। କିନ୍ତୁ ପାରୋଲରେ ଯାଇ ଫେରାର ହୋଇଯାଇଥିଲା। ଯାହାକି ପୁଲିସ ପାଇଁ ଚିନ୍ତା ବଢ଼ାଇ ଦେଇଥିଲା। ଏହି କଂସେଇ ଛଦ୍ମବେଶରେ କେଉଁଠି ରହୁଥିଲା, ଜାଣିଲେ ହୋସ୍ ଉଡ଼ିଯିବ।

୬୭ ବର୍ଷୀୟ ଦେବେନ୍ଦ୍ର ଶର୍ମା। ଏ ଲୋକଟି ପେଶାରେ ଜଣେ ଆୟୁର୍ବେଦ ଡାକ୍ତର। ବିଏଏମଏସ୍ (ବ୍ୟାଚେଲର୍ ଅଫ୍ ଆୟୁର୍ବେଦିକ ମେଡିସିନ୍ ଆଣ୍ଡ୍ ସର୍ଜରୀ) ଡିଗ୍ରୀଧାରୀ ଦେବେନ୍ଦ୍ର। ୧୯୮୪ ରେ ରାଜସ୍ଥାନରେ ଏକ କ୍ଲିନିକ୍ ଖୋଲିଥିଲା। କ୍ଲିନିକ୍ ଖୋଲିବା ପରେ ତାର ସବୁତକ କଳା କାରନାମାର ଶୁଭ ପଡ଼ିଥିଲା। ଡାକ୍ତର ଏବଂ ମଧ୍ୟସ୍ଥିଙ୍କ ସହାୟତାରେ ବିଭିନ୍ନ ରାଜ୍ୟରେ ୧୨୫ ରୁ ଅଧିକ ଅବୈଧ କିଡନୀ ପ୍ରତିରୋପଣ କରିଛି। ୧୯୯୫ରୁ ୨୦୦୪ ଭିତରେ ଏମିତି ବେଆଇନ କାରବାର ସାରା ଦେଶରେ ଚଳାଇ ଆସୁଥିଲା। କିଡନୀ ପ୍ରତିରୋପଣରେ ଦେବେନ୍ଦ୍ରର କୁଖ୍ୟାତି ଥିଲା। ଭଲ ଟଙ୍କା ବି ଏହି ଧନ୍ଦାରେ ରୋଜଗାର କରୁଥିଲା। ପ୍ରତିରୋପଣ ବାଦ୍ ସେ ହତ୍ୟା, ଅପହରଣ ଏବଂ ଡକାୟତି ଭଳି ୨୭ରୁ ଅଧିକ ମାଲାରେ ବି ସମ୍ପୃକ୍ତ ରହିଛି। ସବୁ ଅପରାଧ ସହିତ ଜଡ଼ିତ ଏହି ଡାକ୍ତର। ଯାହା କାହାଣୀ ଭଳି ଲାଗୁଛି, କିନ୍ତୁ ବାସ୍ତବରେ ଏଭଳି ଅପରାଧୀକ ରେକର୍ଡର ଲମ୍ବା ତାଲିକା ରହିଛି ତା ବିରୋଧରେ।

ମୃତ୍ୟୁଦଣ୍ଡ ମିଳିଛି, ତଥାପି…

୧୯୯୪ ମସିହାରେ ଗ୍ୟାସ୍ ଏଜେନ୍ସି ଡିଲରସିପ୍ ନେଇଥିଲା। ଭାବିଥିଲା ଏଥିରେ ଭଲ ରୋଜଗାର ହେବ। କିନ୍ତୁ ଏଥିରେ ତାକୁ କ୍ଷତି ସହିବାକୁ ପଡ଼ିଲା। ପରେ ସେ ମଣିଷ ଅଙ୍ଗ ଚୋରା ଚାଲାଣ ଆରମ୍ଭ କରିଥିଲା। ପରକୁ ପର ହତ୍ୟା, ଡକାୟତିରେ ସାମିଲ ହେଲା। ସତେଯେମିତି ମଣିଷ ନମାରିଲେ ତାକୁ ନିଦ ହୁଏନି। ତାକୁ ୭ଟି ମାମଲାରେ ଆଜୀବନ କାରାଦଣ୍ଡ ସଜା ଶୁଣାଯାଇଛନ୍ତି କୋର୍ଟ। ସେହିଭଳି ଗୋଟିଏ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡ ଦିଆଯାଇଛି। ଏହା ସତ୍ତ୍ବେ ସେ ଜେଲରୁ ଖସି ପୁଣି ଅପରାଧ କରିବାକୁ ଷଡ଼ଯନ୍ତ୍ର ରଚୁଥିଲା।

ମଣିଷ ଶିକାର ଏଇଠୁ ଆରମ୍ଭ

୨୦୦୨ ରୁ ମଣିଷ ଶିକାର କରିବା ଆରମ୍ଭ କରିଥିଲା ଦେବେନ୍ଦ୍ର। ଏହି ଧାରା ୨୦୦୪ ଯାଏ ଚାଲିଲା। ସେ ଅନେକ ଟ୍ୟାକ୍ସି ଏବଂ ଟ୍ରକ୍ ଡ୍ରାଇଭରଙ୍କୁ ନିର୍ମମ ହତ୍ୟା କରିଛି। ସେ ତା ସହଯୋଗୀଙ୍କ ସହିତ ମିଶି ଗାଡ଼ି ଡ୍ରାଇଭରମାନଙ୍କୁ ଦୂର ସ୍ଥାନକୁ ଯିବା ବାହାନାରେ ଡାକି ନେଉଥିଲା। ଯିବା ରାସ୍ତାରେ ଶୂନଶାନ ସ୍ଥାନରେ ଡ୍ରାଇଭରଙ୍କୁ ଗାଡ଼ି ଭିତରେ ବିଭତ୍ସ ହତ୍ୟା କରୁଥିଲା। ହତ୍ୟା କରିବା ପରେ ଗାଡ଼ିଗୁଡ଼ିକ ସ୍କ୍ରାପ୍ କରିଦେଉଥିଲା। କଳା ବଜାରରେ ଏହି ସ୍କ୍ରାପ୍ ବିକ୍ରି ହେଉଥିଲା। ଗାଡ଼ିର କୌଣସି ଖୋଜଖବର ମିଳୁନଥିଲା। ଡ୍ରାଇଭରଙ୍କ ଶବଗୁଡ଼ିକୁ ଅତି ନୃସଂସ ଭାବେ ନଷ୍ଟ କରୁଥିଲା ଦେବେନ୍ଦ୍ର। ଉତ୍ତର ପ୍ରଦେଶର କାସଗଞ୍ଜର ହଜାରା କେନାଲରେ ଫିଙ୍ଗିଦେଉଥିଲା। ଏହି କେନାଲରେ କୁମ୍ଭୀର ଭର୍ତ୍ତି। ମଣିଷ ଶବକୁ କୁମ୍ଭୀର ଖାଇ ଯାଉଥିଲେ। ଯାହାଫଳରେ ଶବର କୌଣସି ଚିହ୍ନ ବର୍ଣ୍ଣ ବି ମିଳୁନଥିଲା।

ଟାର୍ଗେଟ ଥିଲା ମାଲ ବୋଝେଇ ଗାଡ଼ି

ଦେବେନ୍ଦ୍ର ଏଭଳି ଅପରାଧ କରିବାକୁ ଏକ ଗ୍ୟାଙ୍ଗ ଗଢ଼ିଥିଲା। ୧୯୯୫ ରୁ ୨୦୦୪ ଭିତରେ ଏହି ଗ୍ୟାଙ୍ଗ ଅଧିକ ମାତ୍ରାରେ ସକ୍ରିୟ ଥିଲା। ଏଲପିଜି ସିଲିଣ୍ଡର କମ୍ବା କୌଣସି ଖାଦ୍ୟ ସାମଗ୍ରୀ କି ମୂଲ୍ୟବାନ ସାମଗ୍ରୀ ବୋଝେଇ କରି ଟ୍ରକ ନେଉଥିଲା, ସେଗୁଡ଼ିକୁ ଟାର୍ଗେଟ୍ କରାଯାଉଥିଲା। ଗାଡ଼ିରୁ ସମସ୍ତ ସାମଗ୍ରୀ ଚୋରି କରିବା ପରେ ଗାଡ଼ିକୁ ସ୍କ୍ରାପ କରୁଥିଲେ। ଗୋଟିଏ ଗୋଟିଏ ଏଭଳି ଡକାୟତି ଓ ହତ୍ୟା ମାମଲାରେ ମାସିକ ୭ ଲକ୍ଷ ଯାଏ ରୋଜଗାର ହେଉଥିଲା।

ସିରିଏଲ୍ କିଲରରୁ ବାବା

ଦେବେନ୍ଦ୍ରକୁ ୨୦୦୪ରେ କିଡନୀ ରାକେଟ ଏବଂ ସିରିଏଲ ମର୍ଡର ମାମଲାରେ ପୁଲିସ ବାନ୍ଧିଥିଲା। ସେ ତିହାର ଜେଲରେ ସଜା କାଟୁଥିଲା। ୨୦୨୩ ଅଗଷ୍ଟରେ ପାରୋଲରେ ବାହାରକୁ ଯାଇଥିଲା। କିନ୍ତୁ ଜେଲକୁ ଧାର୍ଯ୍ୟ ସମୟ ଭିତରେ ଫେରିବା ବଦଳରେ ଫେରାର ହୋଇଯାଇଥିଲା। ତାକୁ ବାନ୍ଧିବାକୁ କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ଦିଆଯାଇଥିଲା। ଆଲିଗଡ଼, ଜୟପୁର, ଦିଲ୍ଲୀ, ଆଗ୍ରା ଏବଂ ପ୍ରୟାଗରାଜ ସମେତ ଅନେକ ସହରରେ ଛଅ ମାସ ଧରି ପୁଲିସ ଚଢ଼ଉ କରିଥିଲା। ଶେଷରେ ରାଜସ୍ଥାନର ଦୌସାରେ ଥିବା ଏକ ଆଶ୍ରମରୁ ତାକୁ ପାଇଥିଲା। ସେଠାରେ ସେ ନିଜର ପରିଚୟ ଲୁଚାଇ ରହୁଥିଲା। ନିଜକୁ ବାବା ଭାବରେ ପରିଚୟ ଦେଉଥିଲା। ଯେତେବେଳେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଟିମ୍ ତାକୁ ବାନ୍ଧିବାକୁ ଆଶ୍ରମରେ ପହଞ୍ଚିଲା, ସେ ସେତେବେଳେ ପ୍ରବଚନ ଦେଉଥିଲା। ପୁଲିସ ତାକୁ ପ୍ରବଚନ ସମୟରେ ଧରି ପକାଇଲା। ପାରୋଲରେ ବାହାରିବା ପରେ ଶର୍ମା ଫେରାର୍ ହେବା ଇଏ ପ୍ରଥମ ଘଟଣା ନୁହେଁ। ୨୦୨୦ ଜାନୁଆରି ୨୮ରେ ୨୦ ଦିନିଆ ପାରୋଲରେ ଆସିଥିଲା। କିନ୍ତୁ ଜୁଲାଇରେ କ୍ରାଇମବ୍ରାଞ୍ଚ ଦ୍ୱାରା ଦିଲ୍ଲୀରୁ ଗିରଫ ହେବା ପୂର୍ବରୁ ସେ ସାତ ମାସ ପର୍ଯ୍ୟନ୍ତ ଫେରାର ହୋଇଯାଇଥିଲା। ଏମିତି ଫେରାର ନାଟକ କରିଆସୁଥିଲା ଦେବେନ୍ଦ୍ର।

Leave a Reply

Your email address will not be published. Required fields are marked *