ବିପଦ ସଙ୍କେତ ଉପରେ ବୈତରଣୀ
ଭୁବନେଶ୍ୱର : ପୁଣି ବିପଦ ସଙ୍କେତ ଉପରେ ବୈତରଣୀ । ପ୍ରବଳ ବର୍ଷା ଯୋଗୁ ପୁଣି ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଆଖୁଆପଦାଠାରେ ୧୮.୧୨ ମିଟରରେ ପ୍ରବାହିତ ହେଉଛି ବନ୍ୟାଜଳ । ଏଠାରେ ବିପଦ ସଙ୍କେତ ରହିଛି ୧୮.୩୩ ମିଟର । ଗତକାଲିଠୁ ଭଦ୍ରକରେ ଲଗାଣ ବର୍ଷା ଲାଗି ରହିଛି । ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଚି ଏବଂ ନଦୀ ବଢୁଥିବାରୁ ଲୋକ ଭୟଭୀତ ହୋଇରହିଛନ୍ତି । ତିନି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ହେକ୍ଟର ହେକ୍ଟର ଚାଷ ଜମି ପାଣିରେ ବୁଡି ରହିଛି । ଚାଷୀଙ୍କ ପରିବା ଫସଲ ମଧ୍ୟ ନଷ୍ଟ ହୋଇଛି । ଗତକାଲି ମୁଖ୍ୟମନ୍ତ୍ରୀ ମଧ୍ୟ ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ । ଲୋକମାନେ ଜଳବନ୍ଦୀ ହୋଇରହିଛନ୍ତି ।ଅନ୍ୟପଟେ ଆଗାମୀ ୨୪ ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । କିଛି ସ୍ଥାନରେ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ଝଟ୍କା ପବନ ବହିବା ସହ ପ୍ରବଳ ବର୍ଷା ହୋଇପାରେ ।

