ଗାଁ ମୁହାଁ ହୋଇ ରହିଛି ଆର୍ଯ୍ୟପଲ୍ଲୀ ସମୁଦ୍ର
ଛତ୍ରପୁର: ପୁଣି କୂଳ ଲଙ୍ଘିଲା ଆର୍ଯ୍ୟପଲ୍ଲୀ ସମୁଦ୍ର । ପୂର୍ବରୁ ୫ କିଲୋମିଟର ଦୂରରେ ଥିବା ସମୁଦ୍ର ଏବେ ଗାଁଠୁ ମାତ୍ର ୫୦ ମିଟର ଦୂରରେ । ପୂର୍ବରୁ ସମୁଦ୍ର କୂଳରେ ଥିବା ଏକ ସେଡ୍ ଏବଂ ରାସ୍ତା ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି । ଏଠାରେ ଥିବା ଏକ ସେଡଟି ପୂର୍ବରୁ ବିପଦପୂର୍ଣ୍ଣ ଅବସ୍ଥାରେ ସମୁଦ୍ର କୂଳରେ ରହିଥିବା ବେଳେ ଗତକାଲି ତାହା ମଧ୍ୟ ସମୁଦ୍ର ପାଣିରେ ଲୀନ ହୋଇଯାଇଛି । ସମୁଦ୍ରର ଏଭଳି ଭୟଙ୍କର ରୂପକୁ ଦେଖି ଏବେ ଆର୍ଯ୍ୟପଲ୍ଲୀ ଗ୍ରାମବାସୀ ଛାନିଆ ହୋଇ ରହିଛନ୍ତି।
ସମୁଦ୍ର ଜୁଆର ଯୋଗୁ ରାସ୍ତା ଘାଟ ଧୋଇ ହୋଇଯାଇଛି | ଏପଟେ ଯୁଦ୍ଧ କାଳୀନ ଭିତ୍ତିରେ ପଥର ବନ୍ଧା କାର୍ଯ୍ୟ ଚାଲିଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି । ଦୈନିକ ଜଳପତନ ବୃଦ୍ଧି ହେବା ସହ ସମୁଦ୍ରର ଉଚ୍ଚ ଜୁଆର ସ୍ଥଳଭାଗକୁ ମାଡିଆସୁଥିବାରୁ ଗଞ୍ଜାମ ଜିଲାର ଅନେକ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳବାସୀ ତଥା ସମୁଦ୍ରକୂଳିଆ ପରିବାର ଭୟଭୀତ ହୋଇପଡିବା ସହ ନାନା ଆଶଙ୍କାରେ ରହିଛନ୍ତି । ଆର୍ଯ୍ୟପଲ୍ଲୀ ଗ୍ରାମର ମତ୍ସଜିବୀମାନେ ଭୟଭୀତ ହୋଇ ରହିଛନ୍ତି | ଯାହାକୁ ନେଇ ମତ୍ସଜିବୀମାନେ ଏହାର ସମାଧାନ ପାଇଁ ଦାବି କରିଥିଲେ । ହେଲେ ଯେତେ ଦାବି ପରେ ବି ଏମାନଙ୍କ ସମସ୍ୟାର ସମାଧାନ ହୋଇପାରୁନାହିଁ ।
ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଗ୍ରାମରେ ସମୁଦ୍ର ଧୀରେ ଧୀରେ ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଥିବା ଲକ୍ଷ୍ୟ କରାଯାଉଛି । ଆର୍ଯ୍ୟପଲ୍ଲୀ ଗାଁ ନିକଟରେ ସମୁଦ୍ର କୂଳ ଲଙ୍ଘୁଥିବାରୁ ପଞ୍ଚାୟତବାସୀ ଭୟଭୀତ ହୋଇପଡିଛନ୍ତି ।ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ବହୁବାର ଦାବି ହୋଇଥିଲେ ସୁଦ୍ଧା ଏହାର ସମାଧାନ ହୋଇପାରୁନି |
ଦିନକୁ ଦିନ ଜନବସତି ଆଡକୁ ମାଡି ଆସୁଛି ଜୁଆର । ସମୁଦ୍ରର ଏଭଳି କରାଳ ରୂପ ଏବେ ଗ୍ରାମବାସୀଙ୍କ ନିଦ ହଜାଇ ଦେଇଛି । ତେଣୁ ଏବେ ଏହାର ପ୍ରତିକାରର ଆବଶ୍ୟକତା ରହିଛି ନ ହେଲେ ଖୁବ କମ ସମୟ ମଧ୍ୟରେ ଏହି ଗାଁ ସମୁଦ୍ର ଗର୍ଭରେ ଲୀନ ହୋଇଯିବ ଆଶଙ୍କା କରାଯାଉଛି |

