ଡାକ ବିଭାଗରେ ବ୍ୟବହାର ହେବ ନୂଆ ସଫ୍ଟୱେର୍ !
ଡାକ ବିଭାଗରେ ବର୍ତ୍ତମାନ ବ୍ୟବହୃତ ହେଉଥିବା ଏସ୍ଏପି ସଫ୍ଟୱେର୍ ବଦଳରେ ନିଜସ୍ବ ନିର୍ମିତ ଏପିଟି-୨.୦ ସଫ୍ଟୱେର୍ ପ୍ରଚଳିତ ହେବାକୁ ଯାଉଛି । ଏହି ସଫ୍ଟୱେର୍କୁ ଭୁବନେଶ୍ଵର ଡାକମଣ୍ଡଳ ତଥା ଖୋର୍ଦ୍ଧା ଜିଲ୍ଲା ଅଧୀନସ୍ଥ ସମସ୍ତ ଡାକଘରେ ଆସନ୍ତା ମାସରୁ ପ୍ରଚଳନ କରିବାକୁ ବିଭାଗ ସ୍ଥିର କରିଛି । ଏନେଇ ଭୁବନେଶ୍ଵର ଡାକମଣ୍ଡଳର ସମସ୍ତ ପ୍ରାକ୍ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଅଗଷ୍ଟ ୪ତାରିଖରୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ସମସ୍ତ ଡାକଘରେ ଏପିଟି-୨.୦ ସଫ୍ଟୱେର୍ କାର୍ଯ୍ୟକ୍ଷମ ହେବ ।
ଏଣୁ ବୈଷୟିକ କାରଣ ଲାଗି ଅଗଷ୍ଟ ୨ତାରିଖ(ଶନିବାର ଦିନ) ଖୋର୍ଦ୍ଧା ଜିଲ୍ଲା ତଥା ଭୁବନେଶ୍ବର ଡାକମଣ୍ଡଳ ଅନ୍ତର୍ଗତ ସମସ୍ତ ଡାକଘର ବନ୍ଦ ରହିବ । ଏହି ସଫ୍ଟୱେର୍ ପ୍ରଚଳନ ଦ୍ବାରା ଡାକସେବା ଅଧିକ ତ୍ବରାନ୍ବିତ ହେବା ସହିତ ନେଟୱର୍କ ଜନିତ ସମସ୍ୟାକୁ ତତ୍କ୍ଷଣାତ୍ ସମାଧାନ କରିହେବ ବୋଲି ଭୁବନେଶ୍ଵର ଡାକମଣ୍ଡଳର ବରିଷ୍ଠ ଡାକ ଅଧୀକ୍ଷକ ତାରିଣୀଚରଣ ପାଢ଼ୀ ସୂଚନା ଦେଇଛନ୍ତି ।

