ପାର୍ବଣ ଋତୁ ରେ ବେଆଈନ ଚାନ୍ଦା ଆଦାୟ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ !
ଆଗକୁ ଆସୁଛି ପାର୍ବଣ ଋତୁ । ବେଆଇନ ଚାନ୍ଦା ଆଦାୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଚାନ୍ଦା ଆଦାୟକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିପିଙ୍କ ନିର୍ଦ୍ଦେଶ । ଏନେଇ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ସବୁ ଏସପିଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ଡିଜିପିଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପାର୍ବଣ ଋତୁ ସମୟରେ ରାଜ୍ୟବାସୀଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେଇ ସେ ଦିଗରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ପାର୍ବଣ ଋତୁ ସମୟରେ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବା ଉପରେ ଗୁରୁତ୍ଵାରୋପ କରିଥିଲେ । ଯେକୌଣସି ପ୍ରକାର ଅଘଟଣ ସମ୍ପର୍କରେ ଆଗୁଆ ସୂଚନା ପାଇବା ନିମନ୍ତେ ଉପଯୁକ୍ତ ପଦକ୍ଷେପ ନେବାସହ ଏଥିପାଇଁ ତୁରନ୍ତ ଯୋଜନାବଦ୍ଧ କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିପି ପରାମର୍ଶ ଦେଇଥିଲେ । ବିଶେଷକରି ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ଗୁଜବ, ବିଭ୍ରାନ୍ତିକର ତଥ୍ୟ ସଂକ୍ରାନ୍ତରେ ସଦାସର୍ବଦା ନଜର ରଖିବାକୁ କହିଛନ୍ତି । ଏଥି ନିମନ୍ତେ ଜିଲ୍ଲାଗୁଡିକରେ କାର୍ଯ୍ୟ କରୁଥିବା ସାଇବର ସେଲ ଦ୍ଵାରା ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ୨୪ ଘଣ୍ଟିଆ ପାଟ୍ରୋଲିଂ କରିବାକୁ କହିଛନ୍ତି ।
ସମ୍ବେଦନଶୀଳ ସ୍ଥାନରେ ପୋଲିସ ପାଟ୍ରୋଲିଂ, କଡ଼ାକଡ଼ି ଚେକିଂ, ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ସହରର ସମ୍ବେଦନଶୀଳ ସ୍ଥାନରେ ସିସିଟିଭି ଲଗାଇବା, ଗୁଜବକାରୀଙ୍କୁ ଚିହ୍ନଟ, ପୂଜା ହେଉଥିବା ସ୍ଥାନରେ ବ୍ୟାପକ ପୋଲିସ ମୁତୟନ ପାଇଁ ଏସପି ତଥା ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ । ପାର୍ବଣ ଋତୁ ସମୟରେ ବେଆଇନ ଗୋ ଚାଲାଣ ଓ ବେଆଇନ ବାଣ ବିକ୍ରି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି ।

