odisha

ଟିଇଟି ପରୀକ୍ଷା ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ କହିବା ପରେ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

Spread the love

ଭୁବନେଶ୍ୱର : ଶିକ୍ଷକତା ଜାରି ରଖିବା କିମ୍ବା ପଦୋନ୍ନତି ପାଇଁ ଶିକ୍ଷକ ଯୋଗ୍ୟତା ପରୀକ୍ଷା-TET ପାସ୍ ବାଧ୍ୟତାମୂଳକ । ସୁପ୍ରିମକୋର୍ଟଙ୍କ TET ରାୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ରାଜ୍ୟ ସରକାର ଏହାକୁ ତର୍ଜମା କରିବେ ବୋଲି କହିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଶିକ୍ଷକଙ୍କ ସ୍ବାର୍ଥ ବି ଦେଖିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ସବୁ ଦିଗକୁ ବିଚାର ସହ ଶିକ୍ଷକଙ୍କ ସ୍ବାର୍ଥକୁ ଗୁରୁତ୍ବ ଦିଆଯିବ।

ଶିକ୍ଷକମାନେ ମୁକ୍ତ ଓ ବାଧ୍ୟତା ମୂଳକ ଶିକ୍ଷା ଅଧିକାର ଆଇନ, ୨୦୦୯ (ଆର୍‌ଟିଇ ଆକ୍ଟ) ଲାଗୁ ହେବା ପୂର୍ବରୁ ନିଯୁକ୍ତ ହୋଇଛନ୍ତି ଏବଂ ଚାକିରି ଶେଷ ହେବାକୁ ୫ ବର୍ଷରୁ ଅଧିକ ସମୟ ରହିଛି, ସେମାନଙ୍କୁ TET ପାସ୍‌ ପାଇଁ ସର୍ବୋଚ୍ଚ ଅଦାଲତ ୨ ବର୍ଷ ସମୟ ଦେଇଛନ୍ତି । ତେବେ ସଂଖ୍ୟାଲଘୁ ସ୍କୁଲଗୁଡ଼ିକରେ ଆର୍‌ଟିଇ ଆଇନ କାର୍ଯ୍ୟକାରିତା ପ୍ରସଙ୍ଗରେ ବୃହତ୍ତର ଖଣ୍ଡପୀଠ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ସେଠାର ଶିକ୍ଷକମାନଙ୍କ ପାଇଁ ଟିଇଟି ଆବଶ୍ୟକତା ଲାଗୁ ହେବ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଦେଇଛନ୍ତି ।

ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (ଏନ୍‌ସିଟିଇ) ୨୦୧୧ ଜୁଲାଇ ୨୯ରେ ଶିକ୍ଷକ ନିଯୁକ୍ତି ପାଇଁ TET ପାସ୍‌କୁ ବାଧ୍ୟତାମୂଳକ କରିଥିଲେ । ତେବେ ସ୍ଥିତିଗତ ବାସ୍ତବତାକୁ ବିଚାରକୁ ନେଇ ଯେଉଁ ଶିକ୍ଷକମାନଙ୍କ ଚାକିରି ସମୟ ୫ ବର୍ଷରୁ କମ୍‌ ବାକି ରହିଛି ଏବଂ ପଦୋନ୍ନତି ଚାହୁଁ ନାହାନ୍ତି, ସେମାନଙ୍କ କ୍ଷେତ୍ରରେ TET ଉତ୍ତୀର୍ଣ୍ଣ ହେବା ଆବଶ୍ୟକ ନାହିଁ ବୋଲି ଜଷ୍ଟିସ୍‌ ଦୀପଙ୍କର ଦତ୍ତା ଏବଂ ଜଷ୍ଟିସ୍‌ ମନମୋହନଙ୍କ ଖଣ୍ଡପୀଠ କହିଛନ୍ତି ।

 

Leave a Reply

Your email address will not be published. Required fields are marked *