କଳିଙ୍ଗନଗର ଶିଳ୍ପାଞ୍ଚଳ ସ୍ଥିତ ମୈଥାନ ଇସ୍ପାତ କାରଖାନାରେ ଦୁର୍ଘଟଣା: ଜଣେ ଶ୍ରମିକଙ୍କ ମୃତ୍ୟୁ, ୭ ଜଣ ଗୁରୁତର
ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ସ୍ଥିତ ମୈଥାନ ଇସ୍ପାତ କାରଖାନାରେ ଦୁର୍ଘଟଣା ଘଟିଛି । ଏସ୍ଏମ୍ଏସ୍ ପ୍ଲାଣ୍ଟ ସାଇଟ୍ରେ ଲ୍ୟାଡ଼ର ଛିଡ଼ି ଯିବାରୁ ତରଳ ଲୁହାରେ ପୋଡ଼ି ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ଫଳରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ ।
ଗୁରୁବାର ରାତିରେ ଏଭଳି ଅଘଟଣ ଘଟିଛି । ତେବେ ଏସ୍ଏମ୍ଏସ୍ ପ୍ଲାଣ୍ଟରେ ଲ୍ୟାଡ଼ର ଛିଡ଼ିବାର କାରଣ ଅସ୍ପଷ୍ଟ ରହିଛି । ଏ ନେଇ କାରଖାନା କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ସେପଟେ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଏହାସହ ଯଖପୁରା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

