ରାଜ୍ୟ

ବଢିଲାଣି ଡେଙ୍ଗୁ, ଆଲର୍ଟରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ

Spread the love

ରାଜଧାନୀରେ ବଢିଲାଣି ଡେଙ୍ଗୁ ମଶାଙ୍କ ପ୍ରାଦୁର୍ଭାବ । ଫଳରେ ଆଲର୍ଟରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ । ସ୍ଥିତି ସମୀକ୍ଷା କରୁଛନ୍ତି ଭୁବନେଶ୍ୱର ମେୟର ଓ ବିଏମସି କମିଶନର ।

ବିଏମସି ପକ୍ଷରୁ କୁହାଯାଇଛି ଯେ, ସଂଖ୍ୟା ବଢିଲାଣି । ଆମେ ଆଉ ପାରୁନୁ । ନିଜ ସୁରକ୍ଷା ନିଜେ ଦେଖ । ଲୋକେ ମଶାରୀ ଭିତରେ ଦିନରାତି ରୁହନ୍ତୁ । ପଦାକୁ ବାହାରନ୍ତୁନି । ଆଶା, ଅଙ୍ଗନବାଡ଼ି କର୍ମୀ ସେମାନଙ୍କୁ ଜଗିବସନ୍ତୁ । ଡେଙ୍ଗୁ ମଶା ମାରିବା କ୍ଷେତ୍ରରେ ବିଫଳ ହୋଇଥିବା ବିଏମ୍‌ସି ଏପରି ପରାମର୍ଶ ଦେଇଛି ରାଜଧାନୀର ପ୍ରତିଟି ନାଗରିକଙ୍କୁ ।

ଡେଙ୍ଗୁରେ ୪ ଜୀବନ ଯିବା ପରା ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଏଭଳି ଅଜବ ପରାମର୍ଶକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା । ସୂଚନା ଥାଉକି, ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୮୦୦ ପାର୍‌ କରିଛି । ଗୋଟିଏ ଦିନରେ ସର୍ବାଧିକ ଚିହ୍ନଟ ହୋଇଛନ୍ତି ୭୧ ରୋଗୀ । ସାରା ରାଜଧାନୀରେ ରୋଗୀ ମାଳ ମାଳ । ବେସରକାରୀ ସଂଖ୍ୟା ବହୁ ଉପରେ । ସବୁ ଘରୋଇ ହସ୍ପିଟାଲରେ ମାଳମାଳ ରୋଗୀ ।

ବିଏମ୍‌ସି ଡେଙ୍ଗୁ ନିରାକରଣ ଦିଗରେ କାର୍ଯ୍ୟପନ୍ଥା ସ୍ଥିର ନକରି ଲୋକଙ୍କ ଉପରେ ମଶାରୀ ଲଦିବା କୌତୁହଳପୂର୍ଣ୍ଣ ପରିସ୍ଥିତି ଉପୁଜାଇଛି । ଲୋକେ ହୁଏତ ରାତିରେ ଶୋଇବା ବେଳେ ମଶାରି ଉପଯୋଗ କରିପାରନ୍ତି । ବିଶେଷଜ୍ଞଙ୍କ ମତ ଅନୁଯାୟୀ ଡେଙ୍ଗୁ ମଶା ଭୋର ଠାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ସକ୍ରିୟ ହୁଏ । ଲୋକେ ସକାଳୁ ଉଠିଲେ କ’ଣ ମଶା ଦାଉରୁ ରକ୍ଷା ପାଇବା ଲାଗି ମଶାରି ଘୋଡ଼ାଇ ହୋଇ ବୁଲିବେ ।

ମଶାରୀ ଭିତରେ ରହି ରୋଷେଇବାସ, ଖାଇବା ପିଇବା, ଘରକାମ ଚଳାଇବେ? କାମଦାମ କରିବେନି । ଖାଲି ସେତିକି ନୁହେଁ, ଲୋକେ ମଶାରୀ ଭିତରେ ଅଛନ୍ତି କି ନାହିଁ ବିଏମ୍‌ସି ପକ୍ଷରୁ ନିୟୋଜିତ ସ୍ୱାସ୍ଥ୍ୟକର୍ମୀ ଜଗିରହିବେ । କେମିତି ଜଗିବେ, କେଉଁଠି ବସିରହିବେ । ଜଗି ବସିବା ବେଳେ ସେମାନଙ୍କୁ କ’ଣ ଡେଙ୍ଗୁ ମଶା ଛାଡ଼ିଦେବ । କିମ୍ବା ସେମାନେ ମଧ୍ୟ ମଶାରୀ ଭିତରେ ରହି ଲୋକଙ୍କ ଉପରେ ନଜର ରଖିବେ ।

ଏଥିରେ ଜୀବନଯାପନ କେମିତି ଚାଲିବ ବୋଲି ଲୋକେ ଉତ୍ତର ଖୋଜୁଛନ୍ତି । ଡେଙ୍ଗୁ ନିରାକରଣ ଦିଗରେ ଏଭଳି ଅସହାୟତା ବିଏମ୍‌ସି ଦପ୍ତରରେ ଅନୁଷ୍ଠିତ ବୈଠକରେ ଦେଖିବାକୁ ମିଳିଛି । ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରତି ୱାର୍ଡରେ ଡ୍ରାଏ ଡେ ପାଳନ କରିବାକୁ କୁହାଯାଇଛି । ଡ୍ରାଏ ଡେ କରାଯାଇଥିବା ଆବାସିକ ଅଞ୍ଚଳରେ ଥିବା ଘର ଗୁଡ଼ିକରେ ସ୍ୱତନ୍ତ୍ର ଚିହ୍ନ ବା ମାର୍କିଂ କରାଯିବ ।

ଡେଙ୍ଗୁ ଆକ୍ରାନ୍ତ ଅଞ୍ଚଳର ଲୋକେ ଦିନରାତି କିପରି ମଶାରି ଭିତରେ ରହିବେ, ତାହା ଉପରେ ନଜର ରଖିବାକୁ ସ୍ୱାସ୍ଥ୍ୟକର୍ମୀଙ୍କୁ କୁହାଯାଇଛି । ଆଶା, ଅଙ୍ଗନବାଡି କର୍ମୀ, ସ୍ୱଚ୍ଛସାଥୀ ଇତ୍ୟାଦିଙ୍କ ମାଧ୍ୟମରେ ମଶାରି ବ୍ୟବହାର କରୁନଥିବା ଲୋକଙ୍କ ବିବରଣୀ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ କିଛିଦିନ ତଳେ ଅପାରଗ ଅଧିକାରୀଙ୍କୁ ବଦଳି କରାଯାଇଥିଲା ।

ଡେଙ୍ଗୁ ନିୟନ୍ତ୍ରଣ ଦିଗରେ ବିଫଳ ହେବା ପରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ହେଲେ ସେଭଳି କିଛି ଫାଇଲେରିଆ ଇନ୍‌ସପେକ୍ଟର ପୁଣି ଡେଙ୍ଗ ଦମନରେ ବିଏମ୍‌ସି ଫେରିଛନ୍ତି । ସେମାନେ କିଭଳି ଡେଙ୍ଗୁ ମଶାକୁ କାବୁ କରିବେ ତାହା ଜଳଜଳ ଦିଶୁଛି ।

Leave a Reply

Your email address will not be published. Required fields are marked *