ସଂସଦକୁ ଫେରିଲେ ରାହୁଲ ଗାନ୍ଧୀ
କଂଗ୍ରେସ ନେତା ରାହୁଲ ଗାନ୍ଧୀ ସାଂସଦ ପଦ ଫେରି ପାଇଛନ୍ତି । ଏସମ୍ପର୍କରେ ଲୋକସଭା ସଚିବାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଶୁକ୍ରବାର ଦିନ ମୋଦି ସରନେମ ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କୁ ମିଳିଥିବା ଦୁଇ ବର୍ଷର ଦଣ୍ଡ ପାଇଁ ରହିତାଦେଶ ଜାରି କରିଥିଲେ ସୁପ୍ରିମକୋର୍ଟ । ଏହି ଖବର ଆସିବା ପରେ ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟ ଉତ୍ସବମୁଖର ହୋଇପଡ଼ିଛି । ୨୦୧୯ ଲୋକସଭା ନିର୍ବାଚନରେ ରାହୁଲ କେରଳର ୱାୟାନାଡରୁ ନିର୍ବାଚନରେ ଜିତିଥିଲେ ।
ସୂଚନାଯୋଗ୍ୟ ମାର୍ଚ୍ଚ ୨୩ ତାରିଖରେ ରାହୁଲ ଗାନ୍ଧୀଙ୍କ ଲୋକସଭା ସାଂସଦ ସଭ୍ୟ ପଦ୍ଦ ରଦ୍ଦ କରାଯାଇଥିଲା । ୪ବର୍ଷ ତଳର ‘ମୋଦି ସରନେମ୍’ ମାନହାନୀ ମୋକଦ୍ଦମା ମାମଲାରେ ସୁରତ କୋର୍ଟଙ୍କ ୨ ବର୍ଷ ଦଣ୍ଡାଦେଶ ନେଇ ଲୋକସଭା ସଚିବାଳୟ ପ୍ରକାଶ କରିଥିଲା ସଭ୍ୟ ପଦ ରଦ୍ଦ ବିଜ୍ଞପ୍ତି । ଏକ ମାନହାନୀ ମୋକଦ୍ଦମା ମାମଲାରେ ସୁରତର ଚିଫ୍ ଜୁଡ଼ିସିଆଲ୍ ମାଜିଷ୍ଟ୍ରେଟ ରାହୁଲ ଗାନ୍ଧୀଙ୍କୁ ୨ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ପରେ ଲୋକ ପ୍ରତିନିଧି ଆଇନ ୧୯୫୧, ସେକ୍ସନ ୮ ଅନୁଯାୟୀ ତାଙ୍କ ସଦସ୍ୟ ପଦ ରଦ୍ଦ ହୋଇଥିଲା ।
୨୦୧୯ରେ ରାହୁଲ ଦେଇଥିଲେ ବୟାନ
୧୩ ଏପ୍ରିଲ ୨୦୧୯ରେ କର୍ଣ୍ଣାଟକର କୋଲାରରେ ଆୟୋଜିତ ହୋଇଥିବା ଏକ ନିର୍ବାଚନ ରାଲିରେ ରାହୁଲ ଗାନ୍ଧୀ କହିଥିଲେ, ନୀରବ ମୋଦି, ଲଲିତ ମୋଦି, ନରେନ୍ଦ୍ର ମୋଦିଙ୍କ ଉପନାମ କାହିଁକି ସମାନ ? ସମସ୍ତ ଚୋରଙ୍କ ଉପନାମ ମୋଦି କାହିଁକି ? ରାହୁଲଙ୍କ ଏହି ବୟାନ୍ ସମ୍ପର୍କରେ ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦି ତାଙ୍କ ବିରୋଧରେ ଅପରାଧିକ ମାନହାନି ମକଦ୍ଦମା ଦାୟର କରିଥିଲେ । ଏହାକୁ ନେଇ ଅପରାଧିକ ମାନହାନୀ ମାମଲା ରୁଜୁ ହୋଇଥିଲା ।

