ଦେଶ ବିଦେଶ

ସ୍ୱାମୀଙ୍କୁ ‘କଳା’ କହିପାରିବେନି ସ୍ତ୍ରୀ-କୋର୍ଟଙ୍କ ନିଷ୍ପତ୍ତି

Spread the love

ସ୍ୱାମୀଙ୍କୁ ‘କଳା’ କହି ଯଦି ସ୍ତ୍ରୀ ତାଙ୍କର ଅପମାନ କରନ୍ତି, ତା’ହେଲେ ଏହା ନିଷ୍ଠୁରତା ସାବ୍ୟସ୍ତ ହେବ। ଏହି ଆଧାରରେ ଛାଡ଼ପତ୍ରକୁ ମଧ୍ୟ ମଞ୍ଜୁରୀ ମିଳିପାରେ। ଏକ ମାମଲାର ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି। ଏଭଳି କିଛି ମନ୍ତବ୍ୟ ଦେଇ କୋର୍ଟ ଜଣେ ଦମ୍ପତିଙ୍କ ଛାଡ଼ପତ୍ରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି ଯେ, “ ‘ରେକର୍ଡ’ରେ ଆଧାରିତ ସମସ୍ତ ତଥ୍ୟକୁ ଅଧାର କରି କୋର୍ଟ ଏହି ସିଦ୍ଧାନ୍ତରେ ପହଞ୍ଚିଲା ଯେ, ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ କଳା କହି ତାଙ୍କର ଅପମାନ କରୁଥିଲେ। ଏଥିପାଇଁ ସ୍ୱାମୀ, ସ୍ତ୍ରୀଙ୍କଠରୁ ଅଲଗା ରହୁଥିଲେ।’

ସ୍ୱାମୀଙ୍କ ଉପରେ ମିଥ୍ୟା ଅଭିଯୋଗ ଆଣିଥିଲେ ସ୍ତ୍ରୀ…

କର୍ଣ୍ଣାଟକ ହାଇକୋର୍ଟର ଜଷ୍ଟିସ୍‌ ଆଲୋକ ଅରାଧେ ଓ ଜଷ୍ଟିସ୍‌ ଅନନ୍ତ ରାମନାଥ ହେଗଡେଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ‘ନିଜ ସ୍ୱାମୀଙ୍କୁ କଳା କହିବା ସହ ଏହାକୁ ଲୁଚାଇବା ପାଇଁ ସ୍ତ୍ରୀ, ନିଜ ସ୍ୱାମୀ ଉପରେ ମିଥ୍ୟା ଅଭିଯୋଗ ମଧ୍ୟ ଆଣିଥିଲେ। ଅନ୍ୟ ମହିଳା ସହ ସ୍ୱାମୀଙ୍କର ସମ୍ପର୍କ ଥିବା ସେ ମିଥ୍ୟା ଅଭିଯୋଗ କରିଥିଲେ। ଏହାପରେ କୋର୍ଟ ହିନ୍ଦୁ ମ୍ୟାରେଜ ଆକ୍ଟ ଧାରା 13(i)(a) ଅନୁସାରେ, ଦମ୍ପତିଙ୍କ ଛାତ୍ରପତ୍ରକୁ ମଞ୍ଜୁରୀ ଦେଇଥିଲେ।

ମିଳିଥିବା ସୂଚନା ଅନୁସାରେ, ୨୦୦୭ ମସିହାରେ ସେମାନଙ୍କର ବିବାହ ହୋଇଥିଲା ଓ ଉଭୟଙ୍କର ଝିଅଟିଏ ମଧ୍ୟ ଅଛି। ତେବେ ୨୦୧୨ ମସିହାରେ ବେଙ୍ଗାଲୁରୁର ଏକ ଫ୍ୟାମିଲି କୋର୍ଟରେ ବ୍ୟକ୍ତି ଜଣକ ଛାଡ଼ପତ୍ର ଆବେଦନ କରିଥିଲେ।

ସ୍ୱାମୀ, ଶାଶୁ-ଶ୍ୱଶୁରଙ୍କ ବିରୋଧରେ ମାମଲା ରୁଜୁ କଲା ବୋହୂ…

ହାଇକୋର୍ଟ କହିଛନ୍ତି ଯେ, ‘ବାରମ୍ବାର କଳା କହି ଯଦିଓ ସ୍ତ୍ରୀ ସମ୍ପୃକ୍ତ ବ୍ୟକ୍ତିଙ୍କ ଅପମାନ କରି ଆସୁଥିଲେ, ହେଲେ ଝିଅ ପାଇଁ ବ୍ୟକ୍ତି ଜଣକ ଏସବୁ ସହି ନେଉଥିଲେ। ହେଲେ ମହିଳା ଜଣକ ନିଜ ସ୍ୱାମୀ, ଶାଶୁ-ଶ୍ୱଶୁରଙ୍କ ବିରୋଧରେ ଆଇପିସି ଧାରା 498A ଆଧାରରେ ମାମଲା ମଧ୍ୟ ରୁଜୁ କରିଥିଲେ। ଏହାସହ ଘରୋଇ ହିଂସା ନିୟମ ଆଧାରରେ ଉକ୍ତ ମହିଳା ମାମଲା ରୁଜୁ କରିଥିଲେ ଓ ଝିଅକୁ ନେଇ ନିଜ ବାପାମା’ଙ୍କ ପାଖରେ ରହୁଥିଲେ।

ସେପଟେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସମ୍ପୃକ୍ତ ମହିଳା ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ସ୍ୱାମୀ ଓ ତାଙ୍କ ପରିବାର ସଦସ୍ୟ ତାଙ୍କ ସହ ଦୁର୍ବ୍ୟବହାର କରିଛନ୍ତି। ସୂଚନାଥାଉ କି, ୨୦୧୭ ମସିହାରେ ଫ୍ୟାମିଲି କୋର୍ଟ ଉଭୟଙ୍କ ଛାଡ଼ପତ୍ର ଆବେଦନକୁ ଖାରଜ କରି ଦେଇଥିଲେ। ଏହାପରେ ବ୍ୟକ୍ତି ଜଣକ ହାଇକୋର୍ଟରେ ଆବେଦନ କରିଥିଲେ ଓ କୋର୍ଟ ଛାଡ଼ପତ୍ରକୁ ମଞ୍ଜୁରୀ ଦେଇଥିଲେ।

Leave a Reply

Your email address will not be published. Required fields are marked *