ଦେଶ ବିଦେଶ

ରାମୋଜି ଫିଲ୍ମ ସିଟି ପ୍ରତିଷ୍ଠାତା ରାମୋଜି ରାଓଙ୍କ ୮୭ ବର୍ଷ ବୟସରେ ପରଲୋକ

Spread the love

ରାମୋଜୀ ରାଓ ଗ୍ରୁପର ପ୍ରତିଷ୍ଠାତା ସି.ରାମୋଜୀ ରାଓଙ୍କର ଆଜି ଭୋରରୁ ପରଲୋକ ହୋଇ ଯାଇଛି। ଗତକାଲି ସ୍ୱାସ୍ଥ୍ୟାଗତ ସମସ୍ୟା ଦେଖାଯିବା ପରେ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ଭୋର ପ୍ରାୟ ୩ଟା ୩୫ ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା।

ସି.ରାମୋଜୀ ରାଓଙ୍କ ପ୍ରାର୍ଥିବ ଶରୀର ରାମୋଜୀ ଫିଲ୍ମ ସିଟି ସ୍ଥିତ ତାଙ୍କ ବାସଭବନକୁ ନିଆଯାଇଛି । ସେଠାରେ ସର୍ବସାଧାରଣ ତାଙ୍କ ଶେଷ ଦର୍ଶନ କରି ପାରିବେ। ଏହାପରେ ତାଙ୍କ ଅନ୍ତିମ ସତ୍କାର କରାଯିବ ।

ଗଣମାଧ୍ୟମ, ସିନେମା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ‘ପଦ୍ମବିଭୂଷଣ’ରେ ସମ୍ମାନିତ କରାଯାଇଥିଲା । ସେ ଥିଲେ ବିଶ୍ୱର ସର୍ବବୃହତ୍ତ ଫିଲ୍ମସିଟି ‘ରାମୋଜୀ ଫିଲ୍ମସିଟି’ର ପ୍ରତିଷ୍ଠାତା । ନିଜ ଜମିରେ ସେ ‘ରାମୋଜୀ ଫିଲ୍ମସିଟି’ର ନିର୍ମାଣ କରାଇଥିଲେ। ଏଠାରେ ବହୁ ବିଶ୍ୱସ୍ତରୀୟ ଫିଲ୍ମର ସୁଟିଂ ହୋଇଛି। ‘ରାମୋଜୀ ଫିଲ୍ମସିଟି’ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀ। ଦେଶ ତଥା ଦେଶ ବାହାରୁ ବହୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି।

ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଫିଲ୍ମସିଟିରେ କାର୍ଯ୍ୟରତ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ରାମୋଜୀ ଗ୍ରୁପରେ କାର୍ଯ୍ୟରତ କର୍ମଚାରୀ ତାଙ୍କ ଶେଷ ଦର୍ଶନ କରିବେ । ଅପରାହ୍ନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ।

ମିଡିଆ ଓ ଭାରତୀୟ ଫିଲ୍ମ ଶିଳ୍ପ ପ୍ରତି ରାମୋଜୀ ରାଓଙ୍କ ଅବଦାନ ଅତୁଳନୀୟ। ତାଙ୍କ ବିୟୋଗ ସମସ୍ତ ମନୋରଞ୍ଜନ ଶିଳ୍ପ ପ୍ରତି ଏକ ଗଭୀର କ୍ଷତି। ରାମୋଜୀ ରାଓ ୧୯୮୩ ମସିହାରେ ଫିଲ୍ମ ନିର୍ମାଣ କମ୍ପାନୀ ‘ଉଷାକିରଣ ମୁଭିଜ’ର ସ୍ଥାପନା କରିଥିଲେ। ବିଭିନ୍ନ କ୍ଷେତ୍ରରେ ନିଜ ପାରଦର୍ଶୀତା ନିମନ୍ତେ ସେ ୪ଟି ଫିଲ୍ମ ଫେୟାର ପୁରସ୍କାର ଓ ଏକ ରାଷ୍ଟ୍ରୀୟ ଫିଲ୍ମ ଫେୟାର ପୁରସ୍କାର ପ୍ରାପ୍ତ କରିଥିଲେ।

ରାମୋଜୀ ରାଓଙ୍କ ଜନ୍ମ ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲାର ପେଦାପରୁପୁଡି ଗାଁରେ ଏକ ଚାଷୀ ପରିବାରରେ ହୋଇଥିଲା। ମାତ୍ର କଠିନ ଅଧ୍ୟବସାୟ ବଳରେ ସେ ଶିକ୍ଷା, ଖାଦ୍ୟ ତଥା ହୋଟେଲ ବ୍ୟବସାୟରେ ବି ପ୍ରତିଷ୍ଠିତ ହୋଇ ପାରିଥିଲେ।

Leave a Reply

Your email address will not be published. Required fields are marked *