ଦେଶରେ ୧୨ଟି ଶିଳ୍ପ ସ୍ମାର୍ଟ ସିଟି ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି ।

ଦେଶରେ ୧୨ଟି ଶିଳ୍ପ ସ୍ମାର୍ଟ ସିଟି ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି । ଏହି ଯୋଜନା ଅଧୀନରେ ୧୦ ଲକ୍ଷ ଲୋକଙ୍କୁ ପ୍ରତ୍ୟକ୍ଷ ରୋଜଗାର ଏବଂ ୩୦ ଲକ୍ଷ ଲୋକଙ୍କୁ ପରୋକ୍ଷ ରୋଜଗାର ମିଳିବାର ସମ୍ଭାବନା ରହିଛି । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ପ୍ରକଳ୍ପର ମୋଟ ବ୍ୟୟ ଅଟକଳ ୨୮,୬୦୨ କୋଟି ଟଙ୍କା ହେବ । ଏଥିରେ ୧.୫୨ ଲକ୍ଷ କୋଟି ନିବେଶର କ୍ଷମତା ରହିବ । କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଔଦ୍ଦ୍ୟୋଗିକ ସ୍ମାର୍ଟ ସିଟି ଜାତୀୟ ଶିଳ୍ପ ବିକାଶ କରିଡର୍ କାର୍ଯ୍ୟକ୍ରମ (NIDCP) ଅଧୀନରେ ନିର୍ମାଣ କରାଯାଉଛି । ଏହି ଯୋଜନା ଜରିଆରେ ଦେଶର ୧୦ଟି ରାଜ୍ୟକୁ କଭର କରାଯିବ । ୬ଟି ପ୍ରମୁଖ କରିଡର୍ ସହିତ ଏଗୁଡ଼ିକୁ ପ୍ଲାନିଂ କରାଯାଇଛି ।
ଅଶ୍ୱିନୀ ବୈଷ୍ଣବ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସରକାର ଏହି ପ୍ରକଳ୍ପଗୁଡ଼ିକ ପାଇଁ ୨୮,୬୦୨ କୋଟି ଟଙ୍କା ଖର୍ଚ୍ଚ କରିବେ । କ୍ୟାବିନେଟ୍ NIDCP ଅଧୀନରେ ୧୨ଟି ଔଦ୍ଦ୍ୟୋଗିକ ସ୍ମାର୍ଟ ସିଟି ନିର୍ମାଣକୁ ଅନୁମୋଦନ କରିିଛି ।ଏହି ଶିଳ୍ପାଞ୍ଚଳଗୁଡ଼ିକ ଉତ୍ତରାଖଣ୍ଡର ଖୁରପିଆ, ପଞ୍ଜାବର ରାଜପୁରା-ପଟିୟାଲା, ମହାରାଷ୍ଟ୍ରର ଦିଘି, କେରଳର ପଲକ୍କଡ଼, ୟୁପିର ଆଗ୍ରା ଓ ପ୍ରୟାଗରାଜ, ବିହାରର ଗୟା, ତେଲଙ୍ଗାନାର ଜହିରାବାଦ, ଆନ୍ଧ୍ରପ୍ରଦେଶର ଓରଓ୍ଵାକଲ ଓ କୋପାର୍ଥୀ ଏବଂ ରାଜସ୍ଥାନର ଯୋଧପୁର-ପାଲିରେ ବିକଶିତ କରାଯିବ । ଏହି ଶିଳ୍ପ କେନ୍ଦ୍ରଗୁଡ଼ିକରେ ୧.୫ ଲକ୍ଷ କୋଟି ଟଙ୍କା ନିବେଶର ସମ୍ଭାବନା ରହିଛି ।
