ସିଏଚ୍ଏସ୍ଇ ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀ ଗିରଫ !

(ସିଏଚ୍ଏସ୍ଇ) ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀ ଗିରଫ, କୋର୍ଟ ଚାଲାଣ କରିବ ଭିଜିଲାନ୍ସ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କୁ ଗିରଫ କଲା ଭିଜିଲାନ୍ସ । ଆଜି ତାଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳଛି। ଗତକାଲ ଭିଜିଲାନ୍ସ ଚଢ଼ାଉ ବେଳେ ମିଳିଲା ୧୧ ହଜାର ବର୍ଗଫୁଟ୍ର ୪ ମହଲା କୋଠା, ବ୍ୟାଙ୍କ୍ ଓ ବୀମାରେ ୧୬ ଲକ୍ଷ ୭୭ ହଜାର ନିବେଶ ଥିବା କାଗଜପତ୍ର ମିଳିଥିଲା । ଘରୁ ୧ ଲକ୍ଷ ୭୦ ହଜାର ଟଙ୍କା ଜବତ ହୋଇଥିଲା।ସୂଚନା ମୁତାବକ, ବୁଧବାର ସିଏଚ୍ଏସ୍ଇ ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କ ଜଗତସିଂହପୁର ଜିଲ୍ଳା କେଉପଡ଼ା ସ୍ଥିତ ତାଙ୍କ ପୈତୃକ ଘର, ସାମନ୍ତରାପୁର ଅଫିସ୍ ଓ ପଟିଆ କାନନ ବିହାର ଘରେ ଚଢ଼ଉ କରି ୧୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ ଭୁବନେଶ୍ୱର ଡିଭିଜନ । ଠାବ ହୋଇଥିବା ସମ୍ପତ୍ତି ମଧ୍ୟରୁ ୫୦% ବେନାମୀ ବୋଲି ଭିଜିଲାନ୍ସ କାଗଜପତ୍ର ପାଇଥିଲା।
ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି, ପଟିଆ କାନନ ବିହାର ପ୍ଲଟ୍ ନମ୍ବର ୪୮୬/୨୧୭୫ରେ ୧୦ ହଜାର ୮୦୦ ବର୍ଗଫୁଟ୍ର ଏକ ୪ ମହଲା କୋଠା । ଯାହାର ବର୍ତ୍ତମାନ ବଜାର ମୂଲ୍ୟ ୫ କୋଟିରୁ ଅଧିକ ହେବ । ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ୧୬ଟି ପ୍ଲଟ୍ । ଏ ସବୁ ପ୍ଳଟ୍ ବିଭିନ୍ନ ଲୋକଙ୍କ ନାଁରେ ରହିଛି । ସେ ସବୁର ପଟ୍ଟା ଓ କବଲା ତାଙ୍କ ଘରୁ ପାଇଛି ଭିଜିଲାନ୍ସ । ଏ ସବୁ ଜମିର ସରକାରୀ ମୂଲ୍ୟ ୩ କୋଟିରୁ ଅଧିକ ହେବ ବୋଲି ଭିଜିଲାନ୍ସ କହିଛି । ଯେଉଁ ଲୋକମାନଙ୍କ ନାଁରେ ପୁରେନ୍ଦ୍ର ଜମି କିଣିଛନ୍ତି ଭିଜିଲାନ୍ସ ସେମାନଙ୍କୁ ସମନ କରି ପଚରାଉଚରା କରିବ ।
ପୁରେନ୍ଦ୍ରଙ୍କ ଘରୁ ଭିଜିଲାନ୍ସ ଟିମକୁ ବ୍ୟାଙ୍କ୍ ଓ ବୀମାରେ ୧୬ ଲକ୍ଷ ୭୭ ହଜାର ନିବେଶ ଥିବା କାଗଜପତ୍ର ମିଳିଛି । ଘରୁ ୧ ଲକ୍ଷ ୭୦ ହଜାର ଟଙ୍କା ଜବତ ହୋଇଛି । ୨ଟି ଦାମୀ କାର୍ ଓ ୫ଟି ଦୁଇଚକିଆ ଗାଡ଼ି ଠାବ ହୋଇଛି । ଏ ସବୁ ଗାଡ଼ି ପରିବାର ଲୋକଙ୍କ ନାଁରେ ରହିଛି । ଗୋଟିଏ କାର୍ ନଗଦ ଆକାରରେ କିଣା ହୋଇଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ତାଙ୍କ ବାସଭବନରୁ ୫ ଲକ୍ଷ ଟଙ୍କାର ଦାମୀ ଗୃହ ଉପକରଣ ମିଳିଛି । ପୁରେନ୍ଦ୍ର ଘରେ ଥିବା ସୁନା ଓ ରୁପା ଅଳଙ୍କାର ଆକଳନ ହୋଇନାହିଁ । ତାଙ୍କର ବ୍ୟାଙ୍କ୍ରେ ଲକର ଥିବା ଜଣାପଡ଼ିଛି । ଆସନ୍ତାକାଲି ଉକ୍ତ ଲକର ଖୋଲାଯିବା ସହ ବାବୁଙ୍କ ବିଦେଶ ବୁଲାର ହିସାବ ହେବ । ପୁରେନ୍ଦ୍ରଙ୍କୁ ଅଟକ ରଖାଯାଇଛି । ଆସନ୍ତାକାଲି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି ।
