ରାଜ୍ୟ

ଅନ୍‌ଲାଇନ୍‌ ଗୁରୁ ଦିବସ I

Spread the love

ଆଜି ଗୁରୁ ଦିବସ। ବିଦ୍ୟାଳୟର ଗଣିତ ବୁଝିବା ହେଉ ଅବା ୟୁପିଏସ୍‌ସି ପାଠ କିମ୍ବା ହେଉ ବ୍ୟବସାୟିକ ପାଠ । ସବୁ କିଛି ଅନଲାଇନ୍‌ ଶିକ୍ଷାନୁଷ୍ଠାନ ଯୋଗୁ ବୁଝିବା ସହଜ ହେଉଛି । ଯେଉଁଠାରେ ଅନେକ ଡିଗ୍ରୀଧାରୀ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି । ଏଥିପାଇଁ ଶିକ୍ଷାର୍ଥୀଙ୍କୁ ଦୂର ଯାତ୍ରା କରି ଟିଉସନ୍‌ ଯିବାକୁ ପଡ଼ୁନାହିଁ । ମୋବାଇଲରେ ଗୋଟିଏ କ୍ଲିକ୍‌ କରିବା ମାତ୍ରେ ବିଭିନ୍ନ ରାଜ୍ୟର ଶିକ୍ଷକମାନେ ଶିକ୍ଷାର୍ଥୀମାନଙ୍କର ସମସ୍ତ ସମସ୍ୟା ତୁରନ୍ତ ସମାଧାନ କରୁଛନ୍ତି । ଫଳରେ ଅନଲାଇନ୍‌ ଶିକ୍ଷାନୁଷ୍ଠାନରେ ଦିନକୁ ଦିନ ଛାତ୍ରସଂଖ୍ୟା ବଢିବାରେ ଲାଗିଛି । ପୂର୍ବରୁ ପିଲାମାନେ ଶିକ୍ଷକଙ୍କ ଘରକୁ ଯାଇ ଟ୍ୟୁସନ୍‌ ହେଉଥିଲେ ।ସେସବୁ ଏବେ କମ୍‌ ଦେଖିବାକୁ ମିଳୁଛି ।

ଅନ୍‌ଲାଇନ୍‌ ଟ୍ୟୁସନ୍‌ର ଚାହିଦା ଦେଖି କେତେକ ଶିକ୍ଷକ ଘରେ ଟ୍ୟୁସନ୍‌ କରିବା ସହ ଅନଲାଇନ୍‌ରେ ମଧ୍ୟ ଶିକ୍ଷା ଦେବା ଆରମ୍ଭ କଲେଣି । ପୂର୍ବରୁ ବିଦ୍ୟାଳୟ ତଥା ମହାବିଦ୍ୟାଳୟର ପଢା ହୋଇଥିବା କୌଣସି ପାଠ ବୁଝିବାକୁ ହେଲେ ଟ୍ୟୁସନ୍‌ ଯିବାକୁ ପଡ଼ୁଥିଲା । ଯେଉଁଠାରେ ନିର୍ଦ୍ଦିଷ୍ଟ ବିଷୟରେ ଶିକ୍ଷକମାନେ ଶିକ୍ଷା ଦେଉଥିଲେ । କେତେକ ଟ୍ୟୁସନ୍‌ରେ ତ ଜଣେ ଶିକ୍ଷକ ବିଦ୍ୟାଳୟର ସମସ୍ତ ବିଷୟ ପଢାଉଥିଲେ । ତେବେ ସମୟ ବଦଳିବା ସହ ବଦଳିଛି ଶିକ୍ଷାଦାନର ମାଧ୍ୟମ । ପାଠ ବୁଝିବା ପାଇଁ ଆଉ ପିଲାଙ୍କୁ ସାର୍‌ଙ୍କ ଘରକୁ ଯିବାକୁ ପଡୁନି । ଶିକ୍ଷାର୍ଥୀ ଚାହିଁଲାମାତ୍ରେ ଘରେ ବସି ଦେଶର ବିଭିନ୍ନ ଶିକ୍ଷକଙ୍କଠାରୁ ମୋବାଇଲ୍‌ରେ ଯେ କୌଣସି ମୁହୂର୍ତ୍ତରେ ଅନ୍‌ଲାଇନରେ ଶିକ୍ଷାଗ୍ରହଣ କରିପାରୁଛନ୍ତି ।ଏଥିପାଇଁ ଅନେକ ୟୁଟ୍ୟୁବ୍‌ ଚାନେଲ ତଥା ଆପ୍‌ ଏବଂ ୱେବସାଇଟ୍‌ ରହିଛି ଯେଉଁଠି ପିଲାମାନେ ଟଙ୍କା ଦେଇ ତଥା ବିନା ମୂଲ୍ୟରେ ଶିକ୍ଷାଗ୍ରହଣ କରିପାରୁଛନ୍ତି ।

ବିଶେଷ କରି ୟୁଟ୍ୟୁବ୍‌ରେ ଅପଲୋଡ୍‌ ହେଉଥିବା ଭିଡିଓରୁ ପିଲାମାନେ ପଢିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । କାରଣ ସେଠାରେ ବିଭିନ୍ନ ବିଷୟ ପଢାଉଥିବା ଶିକ୍ଷକମାନେ ଆସି ପଢ଼ାଇଥାନ୍ତି । ଜଣେ ସ୍ୱଳ୍ପ ଆୟ ବର୍ଗର ଶିକ୍ଷାର୍ଥୀଟିଏ ଏହି ମାଧ୍ୟମରେ ଶିକ୍ଷାଗ୍ରହଣ କରିପାରୁଛି । ରାଜଧାନୀକୁ ପ୍ରତିଯୋଗିତାମୂଳକ ପରୀକ୍ଷା ଦେବା ପାଇଁ ଆସୁଥିବା ଅନେକ ଶିକ୍ଷାର୍ଥୀ ବିଭିନ୍ନ ଘରୋଇ ପାଠାଗାରରେ ଭର୍ତ୍ତି ହୋଇ ଅନଲାଇନରେ ପାଠପଢ଼ୁଛନ୍ତି । କାରଣ ଏହି ପାଠାଗାରଗୁଡ଼ିକରେ ସେମାନଙ୍କୁ ୱାଇଫାଇ ସୁବିଧା ମିଳୁଛି ଯାହା ସେମାନଙ୍କୁ ଅନଲାଇନ୍‌ ଶିକ୍ଷା ଲାଭ କରିବାରେ ସୁବିଧା ହେଉଛି ।ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପ୍ରତୀକ ସାହୁ କହନ୍ତି, ମୋତେ ଅନଲାଇନ ମାଧ୍ୟମରେ ଶିକ୍ଷା ନେବାକୁ ବେଶ ଭଲ ଲାଗେ । କାରଣ ମୁଁ ଦେଶର ବିଭିନ୍ନ ଶିକ୍ଷକଙ୍କଠାରୁ ଶିକ୍ଷାଗ୍ରହଣ କରିବାର ସୁଯୋଗ ପାଇଥାଏ । ଏଥିସହ ମୁଁ ଯେଉଁ ପାଠଟିକୁ ବୁଝିନପାରେ ସେହି ପାଠର ଭିଡିଓ ବାରମ୍ବାର ଦେଖି ପାଠକୁ ବୁଝିପାରିଥାଏ ।

Leave a Reply

Your email address will not be published. Required fields are marked *