ରୋଗିଣା ସ୍ୱାମୀଙ୍କୁ ଚଳନ୍ତା ଆମ୍ବୁଲାନ୍ସରୁ ଫିଙ୍ଗି ଦେଇ ଆମ୍ବୁଲାନ୍ସ କର୍ମଚାରୀ ମହିଳାଙ୍କୁ କଲେ ଅସଦାଚରଣ ।

ରୋଗିଣା ସ୍ୱାମୀଙ୍କୁ ଚଳନ୍ତା ଆମ୍ବୁଲାନ୍ସରୁ ଫିଙ୍ଗି ଦେଇ ଆମ୍ବୁଲାନ୍ସ କର୍ମଚାରୀ ମହିଳାଙ୍କୁ କଲେ ଅସଦାଚରଣ । ଉତ୍ତରପ୍ରଦେଶ ସିଦ୍ଧାର୍ଥନଗର ଜିଲ୍ଲାର ଗୋନହାତଲ ଅଞ୍ଚଳରେ ଏଭଳି ଘଟଣା ଘଟିଛି । ତାଙ୍କ ସ୍ବାମୀଙ୍କ ମୁହଁରୁ ଅକ୍ସିଜେନ ମାକ୍ସ ବାହାର କରି ତାଙ୍କୁ ବାହାରକୁ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ପୀଡିତା ମହିଳା । ତେବେ ଗୋରଖପୁର ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ସ୍ବାମୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ମୁତାବକ, ଅଗଷ୍ଟ ୨୮ ତାରିଖରେ ମହିଳା ଜଣକ ନିଜ ରୋଗିଣା ସ୍ୱାମୀଙ୍କୁ ବସ୍ତିରେ ଥିବା ଏକ ହସପିଟାଲକୁ ନେଇଥିଲେ । ତାଙ୍କ ଅବସ୍ଥା ବିଗିଡିବାରୁ ପତ୍ନୀ ଲକ୍ଷ୍ନୌର ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ ।
କିନ୍ତୁ ସେଠାରେ ବେଡ ଖାଲି ନଥିବାରୁ ତାଙ୍କୁ ସେଠାରେ ଆଡମିଟ୍ କରାଯାଇନଥିଲା । ତେଣୁ ବାଧ୍ୟ ହୋଇ ସ୍ୱାମୀଙ୍କୁ ନେଇ ମହିଳା ଜଣକ ଲକ୍ଷ୍ନୌର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରିଥିଲେ ।ଦୁଇଦିନ ଚିକିତ୍ସା ପରିବା ପରେ ଏକ ଲକ୍ଷରୁ ଅଧିକ ଟଙ୍କା ହେବାରୁ ପତ୍ନୀ ସ୍ୱାମୀଙ୍କୁ ହସପିଟାଲରୁ ଡିସଚାର୍ଜ କରିବାକୁ କହିଥିଲେ । ଏହି ସମୟରେ ହସପିଟାଲ କାଉଣ୍ଟନରେ ଥିବା ଏକ ପ୍ରାଇଭେଟ ଆମ୍ବୁଲାନ୍ସ କର୍ମଚାରୀଙ୍କ ନମ୍ବର ନେଇ ତାଙ୍କୁ କଲ୍ କରିଥିଲେ । ଆମ୍ବୁଲାନ୍ସରେ ସ୍ୱାମୀଙ୍କୁ ଧରି ଫେରୁଥିବା ବେଳେ ରାସ୍ତାରେ ତାଙ୍କ ସହ ଆମ୍ବୁଲାନ୍ସ କର୍ମଚାରୀ ଅସଦାଚରଣ କରିଥିଲେ । ଏଥିରେ ଆମ୍ବୁଲାନ୍ସ ଡ୍ରାଇଭର ଓ ତାଙ୍କ ସହାୟକ ସାମିଲ ଥିଲେ ।ପୀଡିତାଙ୍କ ଅଭିଯୋଗ ମୁତାବକ, ଆମ୍ବୁଲାନ୍ସ ଡ୍ରାଇଭର ଜଣକ ତାଙ୍କୁ ପୋଲିସ ଚେକିଂ ଆଳରେ ଅଗ ସିଟ୍ରେ ବସିବାକୁ ବାଧ୍ୟ କରିଥିଲେ । ସେ ଆଗ ସିଟ୍ରେ ବସିବା ପରେ ତାଙ୍କ ସହ ଅସଦାଚରଣ କରିଥିଲେ ଡ୍ରାଇଭର । ଏହାପରେ ମହିଳା ଜଣକ ଚିତ୍କାର କରିଥିଲେ । ଏହାକୁ ଦେଖି ତାଙ୍କ ରୋଗୀଣା ସ୍ୱାମୀଙ୍କ ମୁହଁରୁ ଅକ୍ସିଜେନ୍ ବାହାର କରି ଦେଇଥିଲେ ଆମ୍ବୁଲାନ୍ସ କର୍ମଚାରୀ । କେବଳ ସେତିକି ନୁହେଁ ଆମ୍ବୁଲାନ୍ସରୁ ତାଙ୍କ ସ୍ୱାମୀଙ୍କୁ ବସ୍ତିଠାରୁ କିଛି ଦୂରରେ ନିଛାଟିଆ ସ୍ଥାନରେ ଫିଙ୍ଗି ଦେଇଥିଲେ ।
ଏହା ପରେ ପୀଡିତାଙ୍କ ଭାଇ ତୁରନ୍ତ ୧୧୨କୁ ଡାଏଲ କରି ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ପୋଲିସ ତୁରନ୍ତ ଅନ୍ୟ ଆମ୍ବୁଲାନ୍ସକୁ ଡାକି ପୀଡିତାଙ୍କ ସ୍ୱାମୀଙ୍କୁ ଗୋରଖପୁର ମେଡିକାଲ କଲେଜରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ଲକ୍ଷ୍ନୌର ଗାଜିପୁର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ମାମଲାର ତଦନ୍ତ କରୁଛି । ଏହି ମାମଲାରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ପ୍ରତିକ୍ରିୟା ଦେଇଛନ୍ତି ।
