ଜାତୀୟ

ତେଜସ୍‌ର ପ୍ରଥମ ମହିଳା ଫାଇଟର୍‌ ପାଇଲଟ୍, ମୋହନା ସିଂହଙ୍କ ନୂଆ ଉଡ଼ାଣ

Spread the love

ଭାରତୀୟ ବାୟୁସେନାର ସ୍କ୍ୱାଡ୍ରନ ଲିଡର ମୋହନା ସିଂହ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହାଲୁକା ଲଢ଼ୁଆ ଯୁଦ୍ଧବିମାନ ତେଜସର ପ୍ରଥମ ମହିଳା ଫାଇଟର ପାଇଲଟ ହୋଇଛନ୍ତି । ଏଥିସହ ସେ ଏଲିଟ୍‌ ୧୮ ଫ୍ଲାଇ ବୁଲେଟ ସ୍କ୍ୱାଡ୍ରନରେ ସାମିଲ ହୋଇଛନ୍ତି । ନିକଟରେ ଯୋଧପୁରରେ ଅନୁଷ୍ଠିତ ତରଙ୍ଗ ଶକ୍ତି ଯୁଦ୍ଧାଭ୍ୟାସରେ ସେ ଯୋଗଦେଇ ୩ ସେନାର ଉପମୁଖ୍ୟଙ୍କ ସହ ବିମାନ ଉଡାଇଥିଲେ । ବର୍ତ୍ତମାନ ମୋହନା ମିଗ୍‌-୨୧ ଯୁଦ୍ଧବିମାନର ପାଇଲଟ୍ ଭାବେ କାର୍ଯ୍ୟ କରୁଛନ୍ତି । ନିକଟରେ ଏଲ୍‌ସିଏ ସ୍କ୍ୱାଡ୍ରନରେ ସେ ସାମିଲ ହୋଇଥିବା ବେଳେ ତାଙ୍କୁ ପାକିସ୍ତାନ ସୀମାକୁ ଲାଗିଥିବା ଗୁଜରାଟର ନାଳିୟା ବାୟୁସେନା ଘାଟିରେ ମୁତୟନ କରାଯାଇଛି ।

ମୋହନାଙ୍କ ଏହି ଉପଲବ୍ଧି ଭାରତୀୟ ବାୟୁସେନାରେ ମହିଳାମାନଙ୍କ ଲାଗି ନୂଆ ଦ୍ୱାରା ଖୋଲିଦେଇଛି । ମୋହନା ୮ ବର୍ଷ ପୂର୍ବେ ଫାଇଟର ଷ୍ଟ୍ରିମ୍‌ରେ ସାମିଲ ହୋଇଥିଲେ । ସେ ଅବନୀ ଚତୁର୍ବେଦୀ ଓ ଭାବନା କାନ୍ତଙ୍କ ସହିତ ଫାଇଟର ଷ୍ଟ୍ରିମ୍‌ରେ ଆସିଥିଲେ । ଏହି ୩ ମହିଳା ପାଇଲଟ ପ୍ରାରମ୍ଭରୁ ବିଭିନ୍ନ ଯୁଦ୍ଧବିମାନ ଉଡାଇଥିଲେ । ବର୍ତ୍ତମାନ ସୁଖୋଇ-୩୦ ଏମ୍‌କେଆଇ ଏବଂ ତେଜସର ନିୟମିତ ଫ୍ଲିଟ୍‌ରେ ସାମିଲ ଅଛନ୍ତି । ଭାରତୀୟ ବାୟୁସେନା ବିଶ୍ୱର ଚତୁର୍ଥ ସର୍ବାଧିକ ଶକ୍ତିଶାଳୀ ବାହିନୀ । ଏଥିରେ ବର୍ତ୍ତମାନ ୨୦ ଜଣ ମହିଳା ଫାଇଟର ପାଇଲଟ ଅଛନ୍ତି । ୨୦୧୬ରେ ଭାରତୀୟ ବାୟୁସେନା ମହିଳାଙ୍କ ପାଇଁ ଫାଇଟର ପାଇଲଟ ଷ୍ଟ୍ରିମ୍‌ ଖୋଲିଥିଲା । ଏଥିସହ ବାୟୁସେନା ତାର ସମସ୍ତ ଷ୍ଟ୍ରିମ୍‌ରେ ମହିଳାଙ୍କୁ ଆଗକୁ ଆସିବା ଲାଗି ସୁଯୋଗ ସୃଷ୍ଟି କରିଥିଲା ।

ଗତବର୍ଷ ଡିସେମ୍ବର ୨ରେ ବାୟୁସେନା ତାର ଅଣ ଅଫିସର କ୍ୟାଡରରେ ୧୫୩ ଜଣ ଅଗ୍ନିବୀର ବାୟୁ (ମହିଳା)ଙ୍କୁ ସାମିଲ କରିଥିଲା । କର୍ଣ୍ଣାଟକର ବେଲଗାଭିସ୍ଥିତ ଏୟାରମେନ ଟ୍ରେନିଂ ସ୍କୁଲରେ ସେମାନେ ତାଲିମ୍‌ ନେଇଥିଲେ । ଏଥିସହ ୨୨୮୦ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ବାୟୁସେନାରେ ସାମିଲ କରାଯାଇଥିଲା । ବାୟୁସେନା ତାର ଏଲିଟ କମାଣ୍ଡୋ ଗ୍ରୁପ ଗରୁଡରେ ମଧ୍ୟ ମହିଳାଙ୍କୁ ସାମିଲ ହେବା ଲାଗି ସୁଯୋଗ ଦେଇଛି ।

Leave a Reply

Your email address will not be published. Required fields are marked *