ରାଜ୍ୟ

ଗଞ୍ଜେଇ ଚୋରା ଚାଲାଣର ପର୍ଦ୍ଦାଫାଶ୍

Spread the love

ପୋଲିସ୍ ଆଖିରେ ଧୂଳି ଦେଇ ନିଜ କଳା କାରନାମା ଜାରି ରଖିବାକୁ ଏମାନେ ଆପଣାଉଛନ୍ତି ବିଭିନ୍ନ ପନ୍ଥା ।ନୂଆ ତରିକା ଆପଣାଇଛନ୍ତି ଚାଲଣକାରୀ । ହେଲେ କଣ ଲାଭ ଯେଉଁଭଳି ଭାବେ ଗଞ୍ଜେଇ ଚାଲାଣ କଲେ ମଧ୍ୟ ଚୋରା ଚାଲାଣକାରୀ ପୋଲିସ୍ ଠାରୁ ବର୍ତ୍ତି ପାରୁନାହାନ୍ତି । ୧ କୁଇଣ୍ଟାଲ୍ରୁ ଅଧିକ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଏହାକୁ ଜବତ କରିଛି ପୋଲିସ୍।

ବୌଦ୍ଧ ଜିଲ୍ଲା ମନମୁଣ୍ଡା ପୋଲିସ୍ ଗବଜୋର ନିକଟରେ ବୁଧବାର ରାତିରୁ ଅଟକ ରଖିଥିବା ସନ୍ଦିଗ୍ଧ ଟାଟା ଏସି ଗାଡିରୁ ୧ କୁଇଣ୍ଟାଲ୍ ୨୨ କେଜି ଗଞ୍ଜେଇ ଜବତ କରିଛି । ମିଳିଥିବା ସୂଚନା ଅନୁଯାୟୀ, ମନମୁଣ୍ଡା ଥାନା ଗବଜୋର ଗ୍ରାମର ଯାତ୍ରା ପଡିଆ ନିକଟରେ ଆଗ କାଚ ଭଙ୍ଗା ଯାଇଥିବା ଏକ ସନ୍ଦିଗ୍ଧ ଟାଟା ଏସି ଗାଡିକୁ ଅଟକ ରଖାଯାଇଥିବା ଦେଖିବାକୁ ମିଳିଥିଲା । ଉକ୍ତ ଗାଡ଼ି କିଛି ସ୍ଥାନରେ ରକ୍ତ ଛିଟା ଲାଗିଥିବା ବେଳେ ରକ୍ତଭିଜା ଏକ ପୋଷକ ମଧ୍ୟ ଗାଡ଼ିରେ ଥୁଆ ହୋଇଥିଲା ।

ତେବେ ପୋଲିସ୍ ଗତକାଲି ଗାଡିକୁ ଜବତ କରି ମନମୁଣ୍ଡା ଥାନାକୁ ଆଣିଥିଲା । ଆଉ ଗାଡିକୁ ଯାଞ୍ଚ କରିବା ସମୟରେ ଯାହା ଦେଖିଥିଲା ଚକିତ ହୋଇ ରହିଯାଇଥିଲା । ଗାଡି ଡାଲା ତଳେ ଏକ ବଡ ଚ୍ୟାମ୍ବର । ଆଉ ସେହି ଚ୍ୟାମ୍ବର ଭିତରେ ଥିଲା ବିପୁଳ ପରିମାଣର ଗଞ୍ଜେଇ । ଗଞ୍ଜେଇ ଥିବା ନେଇ ଯାଞ୍ଚ କରିବାବେଳେ ହିଁ ପୋଲିସ୍ ଜାଣିବାକୁ ପାଇଥିଲା । ତେବେ କଣ୍ଟାମାଳ ତହସିଲଦାର ତଥା ନିର୍ବାହୀ ମାଜିଷ୍ଟ୍ରେଟ ଶ୍ୱେତପଦ୍ମା ଯୋଶୀଙ୍କ ଉପସ୍ଥିତିରେ ଡାଲା ତଳେ ଥିବା ଗୁପ୍ତ ଚ୍ୟାମ୍ବରକୁ ଖୋଲାଯାଇ ଗଞ୍ଜେଇ ବାହାର କରାଯାଇଥିବାବେଳେ ଏହାର ଓଜନ ୧କୁଇଣ୍ଟାଲ୍ ୨୨କେଜି ଥିବା ପୋଲିସ୍ ସୂଚନା ଦେଇଛି ।

ଏ ସମ୍ପର୍କରେ ମନମୁଣ୍ଡା ଥାନାରେ ଏନ୍ ଡି ପି ଏସ୍ ଆକ୍ଟରେ ଏକ ମାମଲା ଋଜୁ କରି ପୋଲିସ୍ ତଦନ୍ତ କରୁଥିବା ନେଇ ଆଇଆଇସି ରାମ କୁମାର ମୁର୍ମୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *