କଳାହାଣ୍ଡି ଜିଲ୍ଲା ଜାରିଂ ନର୍ସରୀର ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣା
ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାରେ ଡିଏଫଓଙ୍କୁ ଜେରା । ଭାବନୀପାଟଣା ଟାଉନ୍ ଥାନାରେ ଡିଏଫଓ ଦେବେନ୍ଦ୍ର ବେହେରାଙ୍କୁ ୪ ଘଣ୍ଟା ଜେରା କରିଛି ପୋଲିସ । ଫରେଷ୍ଟରଙ୍କ ମୃତ୍ୟୁର ୧୭ ଦିନ ପରେ ଗତକାଲି ଥାନାରେ ହାଜର ହୋଇଥିଲେ ଡିଏଫଓ ଦେବେନ୍ଦ୍ର ବେହେରା ।। ସେଠାରେ ୪ ଘଣ୍ଟା ଧରି ଏସଡିପିଓ ସୁନାରାମ ହେମ୍ବ୍ରମ ଓ ତଦନ୍ତ ଅଧିକାରୀ ଜେରା କରିଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ମୃତ ଫରେଷ୍ଟରଙ୍କ ସୁଇସାଇଡ ନୋଟକୁ ଭୁବନେଶ୍ୱର ଫରେନସିକ୍ ଲ୍ୟାବକୁ ପଠାଯାଇଛି ।
ସିଲଭି କଲଚର୍ ନର୍ସରୀରେ ଚାରା ପ୍ରସ୍ତୁତ ଓ ମଞ୍ଜି କିଣିବା ବାବଦରେ ୭ଲକ୍ଷ ଟଙ୍କା ପିସି ମାଗିଥିବା ନେଇ ଡିଏଫଓଙ୍କ ବିରୋଧରେ ଅଭିଯୋଗ ଆଣି ସୁଇସାଇଡ୍ ନୋଟରେ ଲେଖିଥିଲେ ମୃତ ଫରେଷ୍ଟର ସଞ୍ଜୟ ନାୟକ ।କଳାହାଣ୍ଡି ଫରେଷ୍ଟର୍ ସଞ୍ଜୟ ନାୟକ ଖାଲି ଜୀବନ ହାରିନାହାଁନ୍ତି, ବରଂ ବର୍ଷ ବର୍ଷର ଚାରା ଘୋଟାଲାର ମହାଖୁଲାସା କରିଥିଲେ ସୁଇସାଇଡ୍ ନୋଟରେ ।ଯାହାଙ୍କ ୭ ଲକ୍ଷର ପିସି ଡିମାଣ୍ଡ ସହ ମାନସିକ ନିର୍ଯାତନା ସହିନପାରି ସଞ୍ଜୟ ଜୀବନ ହାରିଥିବା ଅଭିଯୋଗ ହୋଇଛି । ତେବେ ତଦନ୍ତ କରି ଆକ୍ସନ ନେବୁ ବୋଲି ବିଭାଗୀୟ ମନ୍ତ୍ରୀ ଓ ପିସିସିଏଫ୍ କହିଥିବାବେଳେ ଚାରା ଦୁର୍ନୀତି ସହ କେମିତି ଚାଲେ ପିସି କାରବାର ।
ଡିଏଫଓ ଦେବେନ୍ଦ୍ର ବେହେରା, ୧୦ ଲକ୍ଷ ଟଙ୍କାର ପିସି ମାଗିବା ସହ ମାନସିକ ନିର୍ଯାତନା ଦେଉଥିବାରୁ ଶେଷରେ ସ୍ୱାମୀ ସଞ୍ଜୟ ଜୀବନ ହାରିଦେଇଥିବା ପ୍ରିୟଙ୍କା ଅଭିଯୋଗ କରିଛନ୍ତି ।ତାଙ୍କ କହିବା କଥା, ଚାରା ରୋପଣ ଦାୟିତ୍ୱରେ ଥିଲେ ସଞ୍ଜୟ । ନିଜ ହାତରୁ ହଳ କରାଇବା, ଘାସ ବଛା, ସାର ପ୍ରୟୋଗ ସହ ଶ୍ରମିକ ବାବଦ ଖର୍ଚ୍ଚ କରନ୍ତି । କିନ୍ତୁ ବିଲ୍ କଲାବେଳକୁ ଡିଏଫଓ ୫୦ ପ୍ରତିଶତ ପିସି ମାଗନ୍ତି ବୋଲି କହିଛନ୍ତି ପ୍ରିୟଙ୍କା । ଏଭଳି ଶୋଷଣ କରିବାରୁ ଶେଷରେ ସ୍ୱାମୀ ସଞ୍ଜୟ ନିଜ ପାଇଁ ଘର ଖଣ୍ଡେ ମଧ୍ୟ କରିପାରିନଥିବା ପ୍ରିୟଙ୍କା କହିଛନ୍ତି ।

