କରୱାଚୌଥ୍ ରେ ସ୍ୱାମୀ ର ଜୀବନ ନେଇଗଲେ ଆତଙ୍କବାଦୀ
ଜମ୍ମୁ-କଶ୍ମୀରର ଗାନ୍ଦରବଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ସ୍ଥପତି ଶଶି ଭୂଷଣ ଅବ୍ରୋଲଙ୍କ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗିପଡ଼ିଛି। ପତ୍ନୀ କରୱାଚୌଥ୍ କରି ବ୍ରତ ଭାଙ୍ଗିବା ପାଇଁ ଅପେକ୍ଷା କରିଥିବା ବେଳେ ଆସିଥିଲା ଶଶିଙ୍କ ମୃତ୍ୟୁର ଖବର।
ଆତଙ୍କବାଦୀ ଆକ୍ରମଣରେ ଜମ୍ମୁ କଶ୍ମୀରରେ ଟନେଲ ନିର୍ମାଣରେ ନିୟୋଜିତ ଥିବା ୭ଜଣଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ମୃତ୍ୟୁବରଣ କରିଥିବା ମୃତକଙ୍କ ମଧ୍ୟରେ ଅଛନ୍ତି ସ୍ଥପତି ଶଶି ଭୂଷଣ ଅବ୍ରୋଲ। ଏହି ଘଟଣା ପରେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗିପଡ଼ିଛି। ପରିବାର ସଦସ୍ୟ କହିଛନ୍ତି ଯେ, ତାଙ୍କ ପତ୍ନୀ କରୱାଚୌଥ୍ ଉପବାସ କରିଥିଲେ ଏବଂ ବ୍ରତ ଭାଙ୍ଗିବେ ବୋଲି ଚନ୍ଦ୍ର ଦେଖିବା ପରେ ସେ ଶଶିଙ୍କୁ ଭିଡିଓ କଲ୍ କରିଥିଲେ। ହେଲେ ଅନେକ ଥର କଲ୍ କରିବା ପରେ ବି ଶଶି ଉଠାଇନଥିଲେ। କିଛି ଘଣ୍ଟା ପରେ ତାଙ୍କୁ ଶଶିଙ୍କ ମୃତ୍ୟୁ ଖବର ମିଳିିଥିଲା। ସ୍ବାମୀ ଆଉ ଏ ଦୁନିଆରେ ନଥିବା ଜାଣି ପତ୍ନୀଙ୍କ ପାଦ ତଳୁ ମାଟି ଖସିଯାଇଥିଲା।ଟନେଲରେ ଜଣେ ସ୍ଥପତି ଭାବରେ କାର୍ଯ୍ୟ କରୁଥିବା ଶଶିଙ୍କ ଝିଅ କାନ୍ଦି କାନ୍ଦି କହିଛନ୍ତି ଯେ, ଘଟଣା ଦିନ ଯେତେବେଳେ ମା’ କରୱାଚୌଥ୍ ପୂଜା ପାଇଁ ପ୍ରସ୍ତୁତ ହେଉଥିଲେ, ମୁଁ କିଛି ସମୟ ପାଇଁ ବାପାଙ୍କ ସହ କଥା ହେଇଥିଲି | କ’ଣ କରୁଛ ବୋଲି ବାପା ପଚାରିଥିଲେ। କିଛି କରୁନାହିଁ ବୋଲି କହି ମୁଁ ଫୋନକୁ ମୋ ମା’କୁ ଦେଇଥିଲି। ଏହା ପରେ ବାପା ମୋ ମା’ଙ୍କ ସହ କଥା ହୋଇଥିଲେ। ଜହ୍ନ ଆସିଲେ ଭିଡିଓ କଲ୍ କରିବି ବୋଲି କହି ମୋ ମା’ ଫୋନ ରଖିଥିଲେ।
ଏହା ପରେ ଜହ୍ନ ଆସିବାରୁ ସେ ମୋ ବାପାଙ୍କୁ କଲ୍ କରିଥିଲେ। ହେଲେ ବାପା ଫୋନ ଉଠାଇନଥିଲେ। ମା’ ରାତିସାରା ଫୋନ କରିଥିଲେ ହେଲେ କିଛି ଉତ୍ତର ମିଳିନଥିଲା। ପରେ ବାପା ଆଉ ନଥିବା ଆମେ ଜାଣିଥଲୁ। ଆତଙ୍କବାଦୀ ବହୁତ ଖରାପ, ମୋ ବାପାଙ୍କୁ ମାରିଦେଲେ କହି କଇଁ କଇଁ ହୋଇ କାନ୍ଦି ପକାଇଥିଲେ ଶଶିଙ୍କ ଝିଅ।ଶଶିଙ୍କ ପତ୍ନୀ କହିଛନ୍ତି, ଆତଙ୍କବାଦୀମାନେ ସମସ୍ତଙ୍କ ଘର ଉଜାଡି ଦେଲେ। ପିଲାମାନଙ୍କ ସୁରକ୍ଷା ପାଇଁ ମୁଁ ସରକାରଙ୍କୁ କହିବାକୁ ଚାହୁଁଛି ଯେ, ଶଶିଙ୍କ ବ୍ୟତୀତ ଆମର ଆଉ କେହି ନାହାଁନ୍ତି।
ତେବେ ଶଶିଙ୍କ ମୃତ୍ୟୁ ପରେ ଘରେ କେହି ରୋଜଗାରିଆ ନଥିବାରୁ ତାଙ୍କ ପତ୍ନୀଙ୍କୁ ସରକାରୀ ଚାକିରି ମିଳୁ ବୋଲି ପରିବାର ଲୋକେ ଦାବି କରିଛନ୍ତି।ଉଲ୍ଲେଖଯୋଗ୍ୟ, ରବିବାର ରାତିରେ ଟନେଲ ନିର୍ମାଣ କାମ ସାରି ଫେରିଆସିଥିବା କର୍ମଚାରୀଙ୍କ ଉପରେ ଟିଆରଏଫ ଆତଙ୍କବାଦୀ ସଂଗଠନର ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏଥିରେ ୭ଜଣକ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଆହତ ହୋଇଥିବା ଜଣାଯାଇଛି।
