ସ୍ଥଳଭାଗ ଅଭିମୁଖେ ‘ଦାନା’ ଅଗ୍ରସର
ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସାମୁଦ୍ରିକ ବାତ୍ୟା ‘ଦାନା’ ସୃଷ୍ଟି ହୋଇଛି। ‘ଦାନା’ର ପ୍ରଭାବ କେନ୍ଦ୍ରାପଡ଼ାଠାରୁ ବାଲେଶ୍ବର ଉପକୂଳ ପର୍ଯ୍ୟନ୍ତ ରହିବ। ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳକୁ ପବନର ଘଣ୍ଟାପ୍ରତି ବେଗ ୧୦୦ରୁ ୧୧୦ କିମି ରହିଥିବ। ଅତିରୁ ଅତିପ୍ରବଳ ବର୍ଷା ହେଉଥିବ। ବେଳେବେଳେ ପବନର ବେଗ ୧୨୦ କିମି ଛୁଇଁପାରେ।
୨୪ ତାରିଖ ମଧ୍ୟରାତ୍ରିରେ ସ୍ଥଳଭାଗ ଛୁଇଁବାକୁ ଥିବା ଏହି ବାତ୍ୟାର ପ୍ରଭାବ ବହୁ କମ୍ ସମୟ ରହିବ। ସ୍ଥଳଭାଗରେ ମାତ୍ର ୩୦ କିମି ପର୍ଯ୍ୟନ୍ତ ବାତ୍ୟା ତାଣ୍ଡବ ରଚିବ ଏବଂ ୨୫ ତାରିଖ ଭୋର ବେଳକୁ ଗଭୀର ଅବପାତରେ ପରିଣତ ହୋଇସାରିଥିବ|
‘ଦାନା’ର ପ୍ରଭାବ ପ୍ରାୟ ୯ଟି ଜିଲ୍ଲା ଉପରେ ପଡ଼ିବ ବୋଲି ଆକଳନ କରାଯାଇଛି। ଏହାକୁ ନଜରରେ ରଖି ୯ଟି ଜିଲ୍ଲାରେ ବାତ୍ୟା ପରିଚାଳନା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପଗୁଡ଼ିକର ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୯ଜଣ ମନ୍ତ୍ରୀଙ୍କୁ ଦାୟିତ୍ବ ଦେଇଛନ୍ତି।

