ରାଜ୍ୟ

ଲକ୍ଷ୍ମୀ ବସ୍‌ ଧକ୍କାରେ ବାଇକ୍‌ ଅରୋହୀଙ୍କ ମୃତ୍ୟୁ

Spread the love

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ଟେମେରା ପଞ୍ଚାୟତ ଅନ୍ତର୍ଗତ ଢେଫଗୁଡା ଗ୍ରାମ ନିକଟରେ ମଙ୍ଗଳବାର ସନ୍ଧ୍ୟା ୫ଟାରେ ଲକ୍ଷ୍ମୀ ବସ୍‌ ସହ ବାଇକ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଜଣେ ଚାଳକଙ୍କ ମୃତ୍ୟୁ ଘଟଣା ଆନ୍ଦୋଳନ ରୂପ ନେଇଛି। ଏହି ଘଟଣା ପରେ ମୃତକଙ୍କ ପରିବାର ଲୋକ ଏବଂ ଗ୍ରାମବାସୀ କ୍ଷତିପୂରଣ ଦାବି କରି ରାସ୍ତା ଉପରେ ଲକ୍ଷ୍ମୀ ବସ୍‌ ଆଗରେ ଶବ ରଖି ଧାରଣା ଦେଇଥିଲେ। ଗତକାଲି ଝରିଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରି ଧାରଣାରୁ ହଟିବା ପାଇଁ କହିଥିଲେ। କିନ୍ତୁ ପରିବାର ଲୋକ ଓ ଗ୍ରାମବାସୀ କ୍ଷତିପୂରଣ ନମିଳିବା ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ଜିଦ କରି ବସିଥିଲେ।ଶେଷରେ ଆଜି ସକାଳୁ ପାପଡାହାଣ୍ଡି ଏସ୍‌ଡିପିଓ ମୀନାକ୍ଷୀ ଠାକୁର, ଅତିରିକ୍ତ ତହସିଲଦାର ଅହଲ୍ୟା ମୁଦୁଲି, ଏସ୍‌ଆଇ ପ୍ରକାଶ ମିଶ୍ର, ଏଏସ୍‌ଆଇ କେଦାର ରାଉତ, ରାଜୁ ବଂଜାରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକ ଓ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ରେଡ଼ କ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ଏବଂ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ। ୨୦ ଘଣ୍ଟା ପରେ କ୍ଷତିପୂରଣ ମିଳିବା ପରେ ଧାରଣାରୁ ପରିବାର ଲୋକ ଓ ଗ୍ରାମବାସୀ ଉଠି ଥିଲେ। ପରିବାର ପକ୍ଷରୁ ଘଟଣା ନେଇ ଝରିଗାଁ ଥାନାରେ ଲିଖିତ ଅଭିଯୋଗ ପରେ ଝରିଗାଁ ପୁଲିସ ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

Leave a Reply

Your email address will not be published. Required fields are marked *