ସୁପ୍ରିମ୍କୋର୍ଟଙ୍କୁ ବି ଛାଡ଼ୁନାହାନ୍ତି ସାଇବର ଠକ
ଦେଶରେ ସାଇବର ଅପରାଧୀଙ୍କ ପ୍ରାଦୁର୍ଭାବ ସୀମା ଟପିଛି ଏବଂ ସେମାନେ ସୁପ୍ରିମ୍କୋର୍ଟଙ୍କୁ ମଧ୍ୟ ଛାଡ଼ୁନାହାନ୍ତି। ସୁପ୍ରିମ୍କୋର୍ଟ ଉପରେ ମଧ୍ୟ ସାଇବର୍ ଅପରାଧୀମାନେ ଯୋଜନାବଦ୍ଧ ଆକ୍ରମଣ କରିଛନ୍ତି ବୋଲି ସାର୍ବଜନୀନ ବିଜ୍ଞପ୍ତି ଜାରି କରି କୁହାଯାଇଛି । ଏହା ସହ ନକଲି ୱେବ୍ସାଇଟ ନେଇ ଲୋକଙ୍କୁ ସତର୍କ କରାଇବା ନିମନ୍ତେ ସୁପ୍ରିମକୋର୍ଟ ରେଜିଷ୍ଟ୍ରି ପକ୍ଷରୁ କେତେକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟର ଅଫିସିଆଲ ୱେବ୍ସାଇଟକୁ ନକଲ କରି ସାଇବର ଅପରାଧୀମାନେ ଲୋକଙ୍କୁ ଠକିବା ପାଇଁ ପ୍ରୟାସ କରୁଛନ୍ତି ବୋଲି ଏକ ନୋଟିସରେ କୁହାଯାଇଛି। ନକଲି ୱେବ୍ସାଇଟଠାରୁ ଦୂରେଇ ରହିବାକୁ ସୁପ୍ରିମକୋର୍ଟ ଜନତାଙ୍କୁ ପରାମର୍ଶ ଦେଇଛନ୍ତି। ସରକାରୀ ୱେବସାଇଟ୍ ଭଳି ଦେଖାଯାଉଥିବା ଫିସିଂ ୱେବସାଇଟ୍ ଆପଣଙ୍କ ବ୍ୟକ୍ତିଗତ ଡାଟା ଚୋରି କରି ସାଇବର ଠକେଇ କରିପାରେ ବୋଲି ରେଜିଷ୍ଟ୍ରି ପକ୍ଷରୁ ଜାରି ନୋଟିସ୍ରେ କୁହାଯାଇଛି। ଏଭଳି ନକଲି ୱେବସାଇଟ ଉପରେ କ୍ଲିକ୍ ନ କରିବାକୁ ପରାମର୍ଶ ଦିଆଯାଇଛି।

