ବିଦେଶୀ ପକ୍ଷୀଙ୍କଠାରେ ଲାଗିଲା ଟ୍ରାନ୍ସମିଟର୍
ପକ୍ଷୀଙ୍କ କଳରବରେ ମୁଖରିତ ହେଉଛି ଚିଲିକା। ସାତଦରିଆ ଡେଇଁ ଲକ୍ଷାଧିକ ବିଦେଶାଗତ ପକ୍ଷୀ ଏଠାକୁ ଧାଇଁ ଆସିଛନ୍ତି। କେଉଁ ପକ୍ଷୀ କେଉଁଠାରୁ ଆସିଛନ୍ତି ତାହା ଜଣାପଡ଼ୁ ନ ଥିଲେ ମଧ୍ୟ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟୁଛନ୍ତି। ବାରମ୍ବାର ପ୍ରୟାସ କରାଯିବା ସତ୍ତ୍ବେ କିଛି ପକ୍ଷୀଙ୍କ ଆଗମନ ସ୍ଥଳ ସମ୍ପର୍କରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ କୌଣସି ଖବର ପାଇପାରୁ ନାହିଁ। ଯେଉଁଥିପାଇଁ ବିଭାଗ ଏଥର ଅଭିନବ ପନ୍ଥା ଆପଣାଇଛି। ଶୀତ ଦିନରେ ଚିଲିକାର ପ୍ରମୁଖ ଆକର୍ଷଣ ପାଲଟିଥିବା ଗ୍ରେଟର ଫ୍ଲେମିଙ୍ଗୋ (ଫୋନିକପ୍ଟରସ୍ ରୋଜସ୍)ଙ୍କ ଅବସ୍ଥିତି ଜାଣିବାକୁ ଦୁଇଟି ପକ୍ଷୀଙ୍କ ଶରୀରରେ ଟ୍ରାନ୍ସମିଟର ଲଗାଯାଇଛି।ଫ୍ଲେମିଙ୍ଗୋ ଦ୍ବୟକୁ ୩୦ ଗ୍ରାମ ଓଜନର ଏକ ସୌରଚାଳିତ ଟ୍ରାନ୍ସମିଟର ସହିତ ଟ୍ୟାଗ୍ କରାଯାଇଛି, ଯାହାକି ପ୍ରତି ୧୦ ମିନିଟ୍ରେ ପକ୍ଷୀମାନଙ୍କ ଉପସ୍ଥିତି ରେକର୍ଡ କରିବ। ଏହି ଉପକରଣଟି ଶୀତ ଋତୁରେ ଫ୍ଲେମିଙ୍ଗୋଙ୍କର ଚିଲିକା ଜଳରାଶି ଆଭ୍ୟନ୍ତରୀଣ ଚଳପ୍ରଚଳ ଓ ବ୍ୟବହାରକୁ ବୁଝିବାରେ ସହାୟକ ହେବ। ବନ ବିଭାଗକୁ ଗ୍ରେଟର୍ ଫ୍ଲେମିଙ୍ଗୋଙ୍କ ବାସସ୍ଥାନ ପରିଚାଳନା ଏବଂ ସଂରକ୍ଷଣ ଉପରେ ପ୍ରମାଣ-ଭିତ୍ତିକ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବ। ଏହି ପକ୍ଷୀମାନେ କେଉଁଠାରୁ ଆସିଥାନ୍ତି ଏବଂ ଚିଲିକାରୁ ପ୍ରସ୍ଥାନ ସମୟରେ ସେମାନେ କେଉଁପଥ ଗ୍ରହଣ କରନ୍ତି ତାହାର ରହସ୍ୟ ମଧ୍ୟ ପ୍ରକାଶ କରିବ। ୫ମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ପାଳନ ଅବସରରେ ଚିଲିକାରୁ ଗ୍ରେଟର ଫ୍ଲେମିଙ୍ଗୋର ଟ୍ରାକିଙ୍ଗ ପ୍ରକ୍ରିୟା ରାଜ୍ୟରେ ପ୍ରଥମ ଥର ସମ୍ପାଦିତ ହୋଇଛି। ଏହାଦ୍ବାରା ଚିଲିକା ହ୍ରଦକୁ ଆସୁଥିବା ପରିବ୍ରାଜକ ପକ୍ଷୀମାନଙ୍କ ଆଗମନ ଓ ପ୍ରସ୍ଥାନ ସମ୍ପର୍କିତ ତଦାରଖ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ବୋଲି ବିବେଚନା କରାଯାଉଛି।

