ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ‘ଗ୍ଲୋବାଲ୍ ଟ୍ରାଇବାଲ୍ ଫେଷ୍ଟ୍’
ସ୍ୱାଧୀନତା ସଂଗ୍ରାମରେ ସହିଦ ବିର୍ସା ମୁଣ୍ଡା, ଲକ୍ଷ୍ମଣ ନାୟକ, ମାଧୋ ସିଂହଙ୍କ ପରି ଯେଉଁ ଆଦିବାସୀ ନିଜର ସର୍ବସ୍ୱ ଉତ୍ସର୍ଗ କରି ଦେଇଛନ୍ତି, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତିରେ ଏହି ମହାପୁରୁଷମାନଙ୍କର ଇତିହାସ ସଂକଳିତ ହେଉ। ଏଥିପାଇଁ ସରକାରଙ୍କ ସମେତ ଗବେଷକ ଉଦ୍ୟମ କରନ୍ତୁ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ‘ଆଦି ଟ୍ରାଇବାଲ ଟ୍ରଷ୍ଟ’ ପକ୍ଷରୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ‘ଗ୍ଲୋବାଲ ଟ୍ରାଇବାଲ ଫେଷ୍ଟ୍୍’ରେ ଶ୍ରୀ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗଦେଇ ଭାରତରେ ଆଦିବାସୀଙ୍କ ବିସ୍ତାର ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ସାଂସଦ ରବି ନାରାୟଣ ବେହେରା ଯୋଗଦେଇ ଜନଜାତିଙ୍କର ସ୍ୱତନ୍ତ୍ର ସଭ୍ୟତାକୁ ଲୋକଭିମୁଖୀ କରି ଜନଜାତି ପର୍ଯ୍ୟଟନ ବଢ଼ାଇବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ଚଣ୍ଡୀଚରଣ ରଥ ପ୍ରବାସୀ ଭାରତୀୟ ସମ୍ମିଳନୀ, ଗ୍ଲୋବାଲ ଫେଷ୍ଟ୍, ଆଦିବାସୀ ମେଳା ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବ ବୋଲି କହିଥିଲେ।

