ପ୍ରସିଦ୍ଧ ବାବା ବରୁଣେଶ୍ୱରଙ୍କ ସ୍ୱନକ୍ଷତ୍ର ଦିବସ
ଆଜି ପବିତ୍ର ମକର ସଂକ୍ରାନ୍ତି । ଏନେଇ ବେଶ ଚଳଚଞ୍ଚଳ ହୋଇଉଠିଛି ଯାଯପୁର ଜିଲ୍ଲା । ଏଠାକାର ପ୍ରସିଦ୍ଧ ବାବା ବରୁଣେଶ୍ୱରଙ୍କ ଏହି ମକର ସଂକ୍ରାନ୍ତିରେ ରହିଛି ଭିନ୍ନ ମାହାତ୍ମ୍ୟ । ଯାଜପୁର ଜିଲା ବିଂଝାରପୁରରେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ବହୁ ଆଡମ୍ବରରେ ପାଳନ ହେଉଛି ବାବା ବରୁଣେଶ୍ୱରଙ୍କ ସ୍ୱନକ୍ଷତ୍ର ଦିବସ । ପ୍ରଭୁ ବରୁଣେଶ୍ୱର ବର୍ଷସାରା ଜଳରେ ନିମଗ୍ନ ରହିଥିବା ବେଳେ ଏହିଦିନ ପ୍ରଭୁଙ୍କ ପାଖରୁ ଜଳ ନିଷ୍କାସନ କରି ବଡ଼ସିଂହାର ବେଶ କରାଯାଇଥାଏ ।
ପୂଜକମାନେ ଆଜି ଦିନ ଭୋର ୪ଟାରୁ ପ୍ରଭୁଙ୍କୁ ସୁସଜ୍ଜିତ ବେଶ କରାଇବା ପରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି ବାବା ବରୁଣେଶ୍ୱର । ଭକ୍ତମାନଙ୍କ ପାଇଁ ମଧ୍ୟ ବଡ଼ଭୋଗ ଅର୍ପଣ କରାଯାଇଥାଏ । ଏହି କ୍ଷେତ୍ର ପ୍ରଭୁ ବରୁଣ ଦେବଙ୍କ ତପସ୍ଥଳୀ ଭାବେ ପରିଚିତ । ଏହି ମନ୍ଦିର ପରିସରରେ ଦୁଇଟି ଚିର ସବୁଜ ବରୁଣ ବୃକ୍ଷ ଅନାଦିକାଳରୁ ରହିଆସିଛି । ଆଜି ହଜାର ହଜାର ଶ୍ରଦ୍ଧାଳୁ ବାବା ବରୁଣେଶ୍ୱରଙ୍କୁ ଦର୍ଶନ କରି ମୋକ୍ଷଲାଭ କରିଥାନ୍ତି ।

