ନିର୍ଯାତନାର ଶିକାର ହେଉଥିଲେ ଶ୍ରମିକ, ଉଦ୍ଧାର କଲା ଜିଲ୍ଲା ପ୍ରଶାସନ
ଦିନକୁ ଦିନ ବଢୁଛି ଦାଦନ ଶ୍ରମିକ ନିର୍ଯାତନା ଘଟଣା । ଦାନା ଯୋଗାଡ ପାଇଁ ଭିଟାମାଟିରୁ ବାହାର ରାଜ୍ୟକୁ ଯାଇ ନିର୍ଯାତିତ ହେଉଛନ୍ତି ନିରୀହ ଗରିବ ।ସିକନ୍ଦରାବାଦ ଇଟାଭାଟିରେ ନିର୍ଯାତିତ ହେବା ପରେ ଭୋକ ଉପାସରେ ଜୀବନ ବିକଳରେ ଭିଟାମାଟିକୁ ଫେରିଛନ୍ତି ୩୦ ଜଣ ଶ୍ରମିକ । ବଲାଙ୍ଗିର ଜିଲ୍ଲା ନାନ୍ଦୁପଲା, ମହରାପଦର ଓ ସରମାହାଣ ଗାଁର କିଛି ଶ୍ରମିକ ତିନିମାସ ପୂର୍ବରୁ ଇଟାଭାଟିରେ କାମ କରିବାକୁ ବାହାର ରାଜ୍ୟକୁ ଯାଇଥିଲେ । ୩୦ ହଜାର ଅଗ୍ରିମ ଟଙ୍କା ଦେଇ ସିକନ୍ଦରାବାଦ ନେଇ ଯାଇଥିଲା ଦାଦନ ସର୍ଦ୍ଦାର । ଦାଦନ ପରିବାର ସହିତ ଅଧାରେ ପାଠପଢା ଛାଡି ବି କିଛି ଶିଶୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ପହଞ୍ଚିଲେ ପୁଣି ଅଧିକ ମଜୁରି ଦିଆଯିବ କହି ବାହାର ରାଜ୍ୟକୁ ନେଇଥିଲା ଦାଦନ ସର୍ଦ୍ଦାର । ହେଲେ ସେଠାରେ ଆରମ୍ଭ ହେଲା ନିର୍ଯାତନା । ମହିଲା ଶ୍ରମିକଙ୍କୁ ର୍ଦୁବ୍ୟବହାର ସହିତ ମାଡ ବି ଦିଆଗଲା । ଶେଷରେ ଜିଲ୍ଲା ପ୍ରଶାସନର ସହାୟତାରେ ଏବେ ସମସ୍ତ ଶ୍ରମିକ ଉଦ୍ଧାର ହୋଇଛନ୍ତି ।

