ରାଜ୍ୟ

ଉଧେଇ ପାରୁନି ମୟୂରଭଞ୍ଜ

Spread the love

ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାକୁ ସମୃଦ୍ଧ କରିବା ପାଇଁ ପୁଳାପୁଳା ଯୋଜନା ହେଉଛି। କିନ୍ତୁ ବିଡ଼ମ୍ବନାର ବିଷୟ, ଯୋଜନା ସିନା ହେଉଛି ହେଲେ ମୟୂରଭଞ୍ଜ ଉଧେଇ ପାରୁନି। ଯୋଜନା ସହ ସମାନ୍ତରାଳ ଭାବେ ସମସ୍ୟା ବି ବଢ଼ିଚାଲିଛି।୧୦,୪୧୮ ବର୍ଗ କିମି ଅଞ୍ଚଳ ପରିବ୍ୟାପ୍ତ ଜିଲ୍ଲାର ୩୯ ପ୍ରତିଶତରୁ ଅଧିକ ଅଞ୍ଚଳ ପାହାଡ଼ ଓ ଜଙ୍ଗଲରେ ଆଚ୍ଛାଦିତ। ଜିଲ୍ଲାର ଜନସ˚ଖ୍ୟା ୨୮ ଲକ୍ଷ ୭୦ ହଜାରରୁ ଅଧିକ ହୋଇଥିଲା ବେଳେ ସେଥିରୁ ପ୍ରାୟ ୧୪ ଲକ୍ଷ ହେଉଛନ୍ତି ଆଦିବାସୀ ଓ ୧.୮୪ ଲକ୍ଷ ଅନୁସୂଚିତ ଜାତି ବର୍ଗର। ମୋଟ ଜନସ˚ଖ୍ୟାର ସି˚ହଭାଗ ଆଦିବାସୀ ହୋଇଥିଲା ବେଳେ ସେହିମାନେ ହିଁ ସର୍ବାଧିକ ଅବହେଳିତ।

ଏଠାରେ ଲୋକସ˚ଖ୍ୟା ଅନୁଯାୟୀ ଡାକ୍ତର ନାହାନ୍ତି। ସାରା ଜିଲ୍ଲା ପାଇଁ ଅନୁମୋଦିତ ୧୦୨୮ଟି ଡାକ୍ତର ପଦବିରୁ ୫୧୪ଟି ଖାଲି ରହିଛି। ଫଳରେ ପ୍ରତି ଡାକ୍ତରଙ୍କ କାନ୍ଧରେ ହାରାହାରି ୫୫୮୪ ଜଣଙ୍କ ସ୍ବାସ୍ଥ୍ୟସେବାର ଭାର ରହିଛି।ମୟୂରଭଞ୍ଜ ପରି ପଛୁଆ ଜିଲ୍ଲାରେ ସ୍ବାସ୍ଥ୍ୟସେବାର ଏ ବିକଳ ଚିତ୍ର ଚିନ୍ତାର ବିଷୟ। ସେହିପରି, ଜିଲ୍ଲାରେ ସାକ୍ଷରତା ହାର ୬୩.୯୮ ପ୍ରତିଶତ ରହିଥିଲା ବେଳେ ଆଦିବାସୀଙ୍କ ଭିତରେ ଏହାର ହାର୍‌ ଢେର କମ। ସଚେତନତାର ଅଭାବରୁ ପଛୁଆ ହୋଇ ରହିଯାଉଛନ୍ତି।

ରୋଗ ହେଲେ କି ସାପ କାମୁଡ଼ିଲେ ଗୁଣିଆ ପାଖକୁ ଯାଉଛନ୍ତି। ବିଶେଷକରି କପ୍ତିପଦା ବ୍ଲକ୍‌ର ଶରତ, ଉଦଳା, ଠାକୁରମୁଣ୍ଡା, ଶୁଳିଆପଦା, ବିଶୋଇ, ବାଙ୍ଗିରିପୋଷି ପରି ଅଞ୍ଚଳରେ ଆଜି ବି ଛୋଟ ଛୋଟ ପିଲାଙ୍କୁ ରୋଗ ହେଲେ ଚିକିତ୍ସା ଆଳରେ ଗୁଣିଆ ଦ୍ବାରା ଚେଙ୍କ ଦିଆଯାଉଥିବାର ନଜିର ଦେଖିବ‌ାକୁ ମିଳୁଛି। ଡାକ୍ତରଖାନାରେ ଶତପ୍ରତିଶତ ପ୍ରସବ ଲକ୍ଷ୍ୟ ବି ପୂରଣ ହୋଇପାରୁନି। ଫଳରେ ଉଭୟ ମା’ ଓ ଶିଶୁ ବିପଦରେ ପଡ଼ୁଛନ୍ତି।

ଅତୀତରେ ଭଞ୍ଜ ବଂଶର ଶାସନ ସମୟରେ ସମୃଦ୍ଧ ମୟୂରଭଞ୍ଜର ଲୋକେ ଆଜିର ଏହି ଦୁସ୍ଥିତି ପାଇଁ ମୁଖ୍ୟତଃ ପ୍ରଶାସନର ବିଫଳତା ଓ ରାଜନେତାଙ୍କ ଉଦାସୀନତାକୁ ଦାୟୀ କରୁଛନ୍ତି। ଜିଲ୍ଲାପାଳ ହେମକାନ୍ତ ସାଏଙ୍କ କହିଛନ୍ତି, ସବୁ କ୍ଷେତ୍ରରେ ଜିଲ୍ଲାର ବିକାଶ କରିବାକୁ ଆମେ ପ୍ରଚେଷ୍ଟା କରୁଛୁ। ଏଥିପାଇଁ ନିୟମିତ ସମୀକ୍ଷା ବୈଠକ କରିବା ସହ ବିଭାଗୱାରୀ କାର୍ଯ୍ୟର ତଥ୍ୟ ସଂଗ୍ରହ କରାଯାଉଛି। ଶିକ୍ଷା ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆମେ ଟିକେ ପଛୁଆ ରହିଥିବାରୁ ଏହି ଦିଗକୁ ଅଧିକ ଗୁରୁତ୍ବ ଦେଉଛୁ।

Leave a Reply

Your email address will not be published. Required fields are marked *