ରାଜ୍ୟରେ ମହିଳାଙ୍କ ସୁରକ୍ଷା ନେଇ ସରକାର ନେଇଛନ୍ତି ବଡ଼ ପଦକ୍ଷେପ ,ସ୍କୁଲରେ ପଢ଼ାଯିବ ବାଲ୍ୟ ବିବାହ ସଚେତନତା ପାଠ
ରାଜ୍ୟରେ ମହିଳାଙ୍କ ସୁରକ୍ଷା ନେଇ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ତୃଣମୂଳ ସ୍ତରରେ ବାଲ୍ୟ ବିବାହକୁ ରୋକିବା ଲାଗି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଅଧିକାରୀଙ୍କୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିବାଠାରୁ ଆରମ୍ଭ କରି ଅଧିକରୁ ଅଧିକ ମହିଳା କର୍ମଚାରୀଙ୍କୁ ସାମିଲ କରିବା ଉପରେ ନିଷ୍ପତ୍ତି ନିଆଯାଇଛି। ଗ୍ରାମ ପଞ୍ଚାୟତସ୍ତରରେ ବାଲ୍ୟ ବିବାହକୁ ରୋକିବା ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ବାଲ୍ୟ ବିବାହ ନିରୋଧ ଅଧିକାରୀ(ସିଏମ୍ପିଓ) ମାନ୍ୟତା ପ୍ରଦାନ କରାଯାଇଛି। ପିଇଓମାନେ ନିଜର ନାମ ଫଳକରେ ସିଏମ୍ପିଓ ଉଲ୍ଲେଖ କରିବା ସହ ମହିଳା ହେଲ୍ପଲାଇନ୍ ୧୮୧, ଚାଇଲ୍ଡ ହେଲ୍ପଲାଇନ ୧୦୯୮, ପୁଲିସ ୧୧୨ ଓ ସୁଭଦ୍ରା ହେଲ୍ପଲାଇନ ୧୪୬୭୮କୁ ଉଲ୍ଲେଖ କରିବେ। ସେହିପରି ରାଜ୍ୟ ଏସ୍ସି, ଏସ୍ଟି ବିଭାଗ ଅଧୀନରେ ଥିବା ଆବାସିକ ହଷ୍ଟେଲଗୁଡ଼ିକରେ କାର୍ଯ୍ୟରତ ୱାର୍ଡେନ୍-ମାଟ୍ରୋନ୍ଙ୍କୁ ମଧ୍ୟ ସିଏମ୍ପିଓ ମାନ୍ୟତା ଦିଆଯାଇଛି। ପିଇଓଙ୍କ ଭଳି ସେମାନେ ମଧ୍ୟ ନିଜର ନାମ ଫଳକରେ ସବୁ ହେଲ୍ପଲାଇନ୍ ନମ୍ବର ଉଲ୍ଲେଖ କରିବେ।

