ଆଜି ବିଶ୍ୱ ଦହିବରା ଓ ଆଳୁଦମ ଦିବସ
ଆଜି ବିଶ୍ୱ ଦହିବରା ଓ ଆଳୁଦମ ଦିବସ । ମାର୍ଚ୍ଚ ୧ ତାରିଖକୁ ଦହିବରା ଆଳୁଦମ୍ ଦିବସ ଭାବେ କିଛି ବର୍ଷ ହେଲା ପାଳନ କରାଯାଉଛି । ଦହିବରା ଆଳୁଦମ୍ ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ । ଦହିବରା.. ନାମ ଯେମିତି ସ୍ବାଦ ସେମିତି । ନାଁ ଶୁଣିଲେ ହିଁ ପ୍ରତ୍ୟେକ ଓଡିଆଙ୍କ ମୁହଁରେ ପାଣି ଆସିଯାଇଥାଏ । ସକାଳ ହେଉ କି ସନ୍ଧ୍ୟା ସବୁ ସମୟରେ ଲୋକେ ଦହିବରା ଖାଇବା ପାଇଁ ପସନ୍ଦ କରିଥାନ୍ତି । ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଏହା ଖାଇବାକୁ ମିଳିଥାଏ। ହେଲେ କଟକରେ ମିଳୁଥିବା ଦହିବରା ଆଳୁଦମ୍ର ସୁଆଦ ଟିକେ ନିଆରା । ଏଠାକାର ଲୋକ ଦହିବରା ଆଳୁଦମ୍ ଖାଇବାକୁ ଖୁବ ଭଲ ପାଆନ୍ତି। ଦହିପାଣିରେ ଭିଜା ଯାଇଥିବା ବରା ସାଙ୍ଗକୁ ଆଳୁଦମ । ଏହା ସହ ପିଆଜ, ସେଓ ଓ ପୁଦିନା ଚଟଣି । ଦହିବରା ଖାଇବା ପରେ ରାଗ ଖଟା ଦହିପାଣି ପିଇ ମଜା ନେଇଥାନ୍ତି ଦହିବରା ପ୍ରେମୀ । ବିଶେଷ କରି ଖରା ଦିନରେ ଦହିବରା ଖାଇବା ପରେ ଦହି ପାଣି ପିଇବାର ମଜା ଯିଏ ଅନୁଭବ କରିଛି ସିଏ ହିଁ କହିପାରିବ ଦହିବରାର ସ୍ୱାଦ କେତେ ଭଲ ।

