ଆଞ୍ଚଳିକ

ପୋଲିସ ଉପରକୁ ଆକ୍ରମଣ ଘଟଣା, ଡ୍ରାଇଭର ସଂଘ ସଭାପତି ଗିରଫ

Spread the love

ଗଞ୍ଜାମ ଜିଲ୍ଲା ଜଗନ୍ନାଥପୁର ଜଙ୍କସନ୍‌ରେ ପୋଲିସ ଉପରକୁ ଆକ୍ରମଣ ଘଟଣା । ଡ୍ରାଇଭର ସଂଘ ସଭାପତି ଗିରଫ । ଦୀର୍ଘ ଦିନ ଧରି ଫେରାର ଥିଲେ ଡ୍ରାଇଭର ସଂଘ ସଭାପତି ବାବୁ ଖାନ୍‌ । ପୂର୍ବରୁ ଏହି ଘଟଣାରେ ୫୭ଜଣଙ୍କୁ ଗିରଫ କରିଥିଲେ ପୋଲିସ । ଖବର ଅନୁଯାୟୀ, ଡ୍ରାଇଭର ସଂଘ ଆନ୍ଦୋଳନ ଚାଲିଥିବା ବେଳେ ୨୦୨୩ ମାର୍ଚ୍ଚ ୧୬ ତାରିଖ ସନ୍ଧ୍ୟାରେ ପୁଲିସ ଉପରକୁ ଆକ୍ରମଣ ହୋଇଥିଲା। ଏହି ମାମଲାରେ ଫେରାର ଥିବା ଗଞ୍ଜାମ ଜିଲ୍ଲା ଡ୍ରାଇଭର ସଂଘ ସଭାପତି ବାବୁ ଖାନ୍‌କୁ ଗୋପାଳପୁର ଥାନା ଗିରଫ କରିଥିବା ସୂଚନା ଦେଇଛନ୍ତି ସଦର ଏସ୍‌ଡିପିଓ ଶିବଶଙ୍କର ମହାପାତ୍ର । ଘଟଣା ପରଠୁ ସେ ଫେରାର ଥିବା ବେଳେ ପୁଲିସ ତାଙ୍କୁ ଖୋଜୁଥିଲା । ବିଭିନ୍ନ ଦାବି ନେଇ ଡ୍ରାଇଭର ମହାସଂଘ ପକ୍ଷରୁ ଗୋପାଳପୁର ଜଙ୍କସନ୍ ଠାରେ ଧାରଣା ଜାରି ରହିଥିଲା। ଶାନ୍ତିପୂର୍ଣ୍ଣ ଧାରଣା ଦେବାକୁ କହିଥିଲେ ପୁଲିସ ଅଧିକାରୀ। ଧାରଣା ସମୟରେ ମଧ୍ୟାହ୍ନରେ ଗୋଟିଏ ଟ୍ରକ୍ ଅଟକାଇବାରୁ ପୁଲିସ ଡ୍ରାଇଭର ସଂଘ ସଦସ୍ୟଙ୍କୁ ଘଉଡାଇଥିଲା। ସନ୍ଧ୍ୟାରେ ଜିଲ୍ଲାର ସମସ୍ତ ଡ୍ରାଇଭର ଏକାଠି ହୋଇଥିଲେ। ଛତ୍ରପୁରରେ ବୈଠକ କରିବା ପରେ ସନ୍ଧ୍ୟା ସମୟରେ ୫ଶହରୁ ଉର୍ଦ୍ଧ୍ବ ଡ୍ରାଇଭର ଆସି ପୁଲିସ ଉପରେ ଆକ୍ରମଣ କରିଥିଲେ । ୧୦ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଥିବା ବେଳେ କିଛି ଡ୍ରାଇଭର ମଧ୍ୟ ଆହତ ହୋଇଥିଲେ । ଘଟଣା ପରେ ପରେ ଚମାଖଣ୍ଡି ଓ ଗୋପାଳପୁର ଥାନା ପୁଲିସ ୫୭ଜଣଙ୍କୁ ଗିରଫ କରିଥିଲା । ଗୋପାଳପୁରରେ ୨୯ ଗିରଫ ହୋଇଥିବା ବେଳେ ଚମାଖଣ୍ଡିରେ ୨୮ଜଣ ଗିରଫ ହୋଇଥିଲେ । ଜେଲ୍‌ରେ ଥିବା ଅଭିଯୁକ୍ତ ମାନେ ଜାମିନ୍ ପାଇଥିବା ବେଳେ ସଭାପତି ଫେରାର ଥିଲେ । ଗୋପାଳପୁର ଥାନା ଆଇଆଇସି ଶାରଦା ପ୍ରସନ୍ନ ଦାଶ ଓ ଟିମ୍ ତାଙ୍କୁ ଗିରଫ କରିଥିବା ଏସ୍‌ଡିପିଓ ମହାପାତ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *