ଆତଙ୍କବାଦୀଙ୍କ ଟାର୍ଗେଟରେ ପ୍ରବାସୀ; ଦୁଇ ଶ୍ରମିକଙ୍କୁ ଗୁଳିମାଡ଼, ସେନାର ସର୍ଚ୍ଚ ଅପରେସନ
ଜାମ୍ମୁ-କାଶ୍ମୀରେ ଥମୁନି ଆତଙ୍କୀ କାର୍ଯ୍ୟକଳାପ । ଆତଙ୍କବାଦୀମାନଙ୍କ ଟାର୍ଗେଟରେ ଏବେ ପ୍ରବାସୀ ଶ୍ରମିକ । ଅନନ୍ତନାଗରେ ପ୍ରବାସୀ ଶ୍ରମିକଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ । ଏଥିରେ ଦୁଇଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶ୍ରମିକଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି । ଦୁଇ ପ୍ରବାସୀ ମହାରାଷ୍ଟ୍ର ସିଙ୍ଗାଲୀର ବୋଲି ଜଣାପଡ଼ିଛି । ସେପଟେ ଏନେଇ ଖବର ମିଳିବା ପରେ ଜାମ୍ମୁ-କାଶ୍ମୀର ପୋଲିସ ତତ୍ପରତା ଦେଖାଇଛି । ଶ୍ରମିକଙ୍କୁ ଫାୟାରିଂ ହୋଇଥିବା ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଛି । ସ୍ଥାନୀୟ ଅଞ୍ଚଳକୁ ପୂରା ଘେରାବନ୍ଦୀ କରିଛି ଭାରତୀୟ ସେନା ଓ ଜାମ୍ମୁ-କାଶ୍ମୀର ପୋଲିସ । ଚେକିଂ-ବ୍ଲାକିଂକୁ ଜୋରଦାର କରାଯାଉଛି । ଅନ୍ୟପଟେ ମଙ୍ଗଳବାର ଜାମ୍ମୁ-କାଶ୍ମୀର ପୁଞ୍ଝ ସେକ୍ଟରରେ ଏନକାଉଣ୍ଟର ହୋଇଥିଲା । ଭାରତୀୟ ସେନାର କାଉଣ୍ଟର ଆଟାକରେ ୪ ଆତଙ୍କବାଦୀ ନିହତ । ସୋମବାର ରାତିରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ସିନ୍ଧରା କ୍ଷେତ୍ରରେ ଆତଙ୍କୀଙ୍କ ଉପରେ ନଜର ରିଖିବା ପାଇଁ ସୁରକ୍ଷାବଳ ଡ୍ରୋନ୍ ମୁତୟନ କରିଥିଲା । ତେବେ ମଙ୍ଗଳବାର ସକାଳୁ ସର୍ଚ୍ଚ ଅପରେସନ ବେଳେ ଯବାନଙ୍କ ଦେଖିବା ଗୁଳିମାଡ଼ କରିଥିଲେ ଆତଙ୍କବାଦୀମାନେ । ଏହାର ପାଲଟା ଜବାବ ଦେଇଥିଲା ଆର୍ମି । ଏନକାଉଣ୍ଟରେ ୪ ଆତଙ୍କୀ ନିହତ ହୋଇଛନ୍ତି । ଏହି ଅପରେସନକୁ ସେନା ‘ତିନେତ୍ର’ ନାଁ ରଖିଥିଲା । ଯେଉଁଥିରେ ସେନାର ସ୍ବତନ୍ତ୍ର ଟିମ୍, ରାଷ୍ଟ୍ରୀୟ ରାଇଫଲ୍ସ, ଏବଂ ଜାମ୍ମୁ-କାଶ୍ମୀର ପୋଲିସ ଓ ଅନ୍ୟ ଯବାନ ମାନେ ଅପରେସନରେ ସାମିଲ ହୋଇଥିଲେ । ମୃତ ଅତଙ୍କବାଦୀଙ୍କୁ ପରିଚୟ ଖୋଜିବାକୁ ପ୍ରୟାସ କରୁଛି ସେନା । ଏବେବି ପୁଞ୍ଝ ଜିଲ୍ଲାରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏତିରେ ଜଣେ ସନ୍ଦିଗ୍ଧକୁ ହେପାଜତକୁ ନେଇଛି ସୁରକ୍ଷାବଳ । ମଙ୍ଗଳବାର ସକାଳୁ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି ।
