ରାଜ୍ୟ

ମାଟ୍ରିକ ସ୍ବତନ୍ତ୍ର: ପୁଅଙ୍କ ଅପେକ୍ଷା ଝିଅ ଅଧିକ ସଫଳ

Spread the love

ଆଜି ପ୍ରକାଶିତ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ‘ଏକ୍ସ’ ହ୍ୟାଣ୍ଡେଲ୍‌ରେ ଶୁ‌ଭେଚ୍ଛା ଜଣାଛନ୍ତି। ସେ ଲେଖିଛନ୍ତି ‘ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ‘ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା’ରେ ଉତ୍ତୀର୍ଣ୍ଣ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଏହା ସହ ମଧ୍ୟମା ଓ ଏସ୍‌ଓଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଅଭିନନ୍ଦନ। ଆଶାଜନକ ଫଳାଫଳ ପାଇନଥିବା ପିଲାମାନେ ନିରୁତ୍ସାହିତ ନହୋଇ ଫଳାଫଳ ନିର୍ବିଶେଷରେ ଦୃଢ଼ ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ସହ ଅଧ୍ୟବସାୟ ଜାରି ରଖିବାକୁ ଉପଦେଶ ଦେଉଛି। ସମସ୍ତଙ୍କର ଉଜ୍ଜଳ ଭବିଷ୍ୟତ ଓ ଉତ୍ତରୋତ୍ତର ସଫଳତା କାମନା କରୁଛି’।

ମାଟ୍ରିକ ଛାତ୍ରଛାତ୍ରୀ ମେ ୫ରୁ ମେ ୧୬ ତାରିଖ ପର୍ଯ୍ୟନ୍ତ ଚେକିଂ-ଆଡିସନ୍‌ ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ବୋର୍ଡ ୱେବ୍‌ସାଇଟ୍ www.bseodisha.ac.in ସହାୟତାରେ ସେମାନେ ଆବେଦନ କରିପାରିବେ। ସେହିପରି ଏହି ସମୟମୀମା ମଧ୍ୟରେ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଅଫ୍‌ଲାଇନ୍‌ରେ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟ ବା ଆଞ୍ଚଳିକ କାର୍ଯ୍ୟାଳୟରେ ଆବେଦନ କରିପାରିବେ।

ମାଟ୍ରିକ, ମଧ୍ୟମା ଓ ପତ୍ରମାଧ୍ୟମ ପରୀକ୍ଷାଫଳ ସଂପର୍କରେ କୌଣସି ସୂଚନା ପାଇବା ପାଇଁ ବୋର୍ଡ ପକ୍ଷରୁ ନିୟନ୍ତ୍ରଣକକ୍ଷ (କଣ୍ଟ୍ରୋଲ୍ ରୁମ୍‌) ଖୋଲା ଯାଇଛି। ଏହି ନିୟନ୍ତ୍ରଣକକ୍ଷ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟଦିବସର ଦିନ ସାଢ଼େ ଦଶଟାରୁ ଅପରାହ୍ଣ ପାଞ୍ଚଟା ପର୍ଯ୍ୟନ୍ତ ଖୋଲା ରହିବ।୮୭୬୩୦୮୮୮୯୦/୦୬୭୧-୨୪୧୨୦୫୯/୨୪୧୨୦୬୦ ଫୋନ୍‌ ନମ୍ବରରେ ନିୟନ୍ତ୍ରଣକକ୍ଷ ସହ ଯୋଗାଯୋଗ ହୋଇପାରିବ।

ବୋର୍ଡ ପରିଚାଳିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା (ପ୍ରଥମ) ଓ ମଧ୍ୟମା ପରୀକ୍ଷାଫଳ ମଧ୍ୟ ଆଜି ପ୍ରକାଶ ପାଇଛି। ଓପନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌ରେ ୫୫୯୧ଜଣ ପରୀକ୍ଷା ଦେଇଥିବା ବେଳେ ୪୧୮୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ମୁକ୍ତ ବିଦ୍ୟାଳୟର ପାସ୍ ହାର୍ ୭୪.୭୮ ପ୍ରତିଶତ ରହିଛି। ଓପନ୍ ସ୍କୁଲରେ ୧୧ ଜଣ ମାଲ୍‌ପ୍ରାକ୍ଟିସ୍ ହୋଇଛନ୍ତି। ସେହିପରି ମଧ୍ୟମାରେ ୨୯୧୭ ଜଣ ପରୀକ୍ଷା ଦେଇଥିବା ବେଳେ ୨୮୬୮ ଜଣ ପାସ୍ କରିଛନ୍ତି। ପାସ ହାର୍‌ ୮୫.୭୯ ପ୍ରତିଶତ ରହିଛି।

ମାଟ୍ରିକ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ସଫଳ ଓ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ଏକ ବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ଯେ ମାଟ୍ରିକ ପରୀକ୍ଷାକୁ ଛାତ୍ରଛାତ୍ରୀମାନଙ୍କର କ୍ୟାରିୟରର ପ୍ରଥମ ସୋପାନ ବୋଲି ବିବେଚନା କରାଯାଇଥାଏ। ମାଟ୍ରିକ ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ସମସ୍ତ ବିଦ୍ୟାର୍ଥୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। କଠିନ ପରିଶ୍ରମ ଓ ଅଧ୍ୟବସାୟ ହିଁ ସଫଳତାର ଚାବିକାଠି। ଆଜି ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ବିଦ୍ୟାର୍ଥୀମାନେ ଆଗାମୀ ଦିନରେ ମଧ୍ୟ ନିଜର ପରିଶ୍ରମ ଜାରି ରଖିବେ ଏବଂ ଉଚ୍ଚଶିକ୍ଷା ଲାଭ କରି ନିଜ ପାଇଁ ଏକ ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣ କରିବେ ବୋଲି ମୁଁ ଆଶା କରୁଛି। ଏଥିସହିତ ଆଜିର ମାଟ୍ରିକ୍‌ ପରୀକ୍ଷା ଫଳରେ ଆଶାନୁରୂପକ ଫଳ ପାଇନଥିବା ବିଦ୍ୟାର୍ଥୀମାନେ ହତୋତ୍ସାହିତ ନ ହୋଇ ଆଗାମୀ ଦିନରେ ଅଧିକ ପରିଶ୍ରମ କରି ସଫଳତା ଅର୍ଜନ କରନ୍ତୁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି।

ଚଳିତ ବର୍ଷ ମାଟ୍ରିକ ସାଧାରଣ ବିଜ୍ଞାନ ପରୀକ୍ଷାର ସେଟ୍‌-ସି ପ୍ରଶ୍ନପତ୍ରରେ ୪ ନମ୍ବର ବିଶିଷ୍ଟ ଏକ ପ୍ରଶ୍ନ ନ ଥିଲା। ଅର୍ଥାତ୍‌ ପୂର୍ଣ୍ଣସଂଖ୍ୟା ୧୦୦ ହୋଇଥିବା ବେଳେ ମୋଟ ୯୬ ନମ୍ବରର ପ୍ରଶ୍ନ ଆସିଥିଲା। ଏଥିରେ ଛାତ୍ରଛାତ୍ରୀଙ୍କୁ ଗ୍ରେସ୍ ନମ୍ବର ମିଳିବା ପାଇଁ ଦାବି ହୋଇଥିଲା। ଆଜି ପରୀକ୍ଷାଫଳ ପ୍ରକାଶନ ସମୟରେ ଗ୍ରେସ୍‌ ନମ୍ବର ମିଳିଛି କି ନାହିଁ ପ୍ରଶ୍ନର କୌଣସି ସ୍ପଷ୍ଟ ଉତ୍ତର ବୋର୍ଡ କର୍ତ୍ତୃପକ୍ଷ ଦେଇ ପାରି ନଥିଲେ। କିନ୍ତୁ ସେହି ସେଟ୍ ପ୍ରଶ୍ନପତ୍ରରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦିଆଯାଇଛି ବୋଲି ବୋର୍ଡର ଉପସଭାପତି ଡକ୍ଟର ନିହାରରଞ୍ଜନ ମହାନ୍ତି କହିଥିଲେ।

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ସମଗ୍ର ଓଡ଼ିଶାରେ ପାସ୍ ହାର ୯୪.୯୩% ରହିଥିବା ବେଳେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍(କିସ୍‌)ର ଫଳାଫଳ ଶତ ପ୍ରତିଶତ ହୋଇଛି। କିସ୍ ଆରମ୍ଭ ହେବାଠାରୁ ଲଗାତାର ୧୮ବର୍ଷ ଧରି ଏଠାକାର ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଆସୁଛନ୍ତି। ଚଳିତବର୍ଷ ସ୍କୁଲ୍‌ର ୧୯୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୧% ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବାକି ଛାତ୍ରଛାତ୍ରୀ ୫୦ ପ୍ରତିଶତରୁ ଅଧିକ ନମ୍ବର ରଖି ଦ୍ୱତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କିସ୍ ଛାତ୍ରୀ ଖଇରାଣୀ ମାଝୀ ସର୍ବାଧିକ ୫୬୦ ନମ୍ବର ରଖି ଏ୧ ହାସଲ କରି ସ୍କୁଲ୍ ଟପ୍‌ର ହୋଇଛନ୍ତି। ସେହିପରି ବର୍ଷାରାଣୀ ଟୁଡ଼ୁ ୫୪୫ ନମ୍ବର ରଖି ଏ୧ ସ୍ଥାନ ହାସଲ କରିଛନ୍ତି। ଏଥିସହ କିସ୍‌ର ସଉରା, ବଣ୍ଡା, ଜୁଆଙ୍ଗ, ଖଡ଼ିଆ, ଲୋଧା, ପାଉଡ଼ି ଭୂୟାଁ ଆଦି ଅତିଦୁର୍ବଳ ଜନଜାତି ବର୍ଗର ୨୦୧ଜଣ ଛାତ୍ରଛାତ୍ରୀ ମଧ୍ୟ ଏଥର ଭଲ ପ୍ରଦର୍ଶନ କରିଛନ୍ତି। ଚଳିତ ବର୍ଷ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ରାଜ୍ୟରୁ ଆସି କିସ୍‌ରେ ପଢ଼ୁଥିବା ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷାରେ ଭଲ ନମ୍ବର ରଖି ସଫଳତା ହାସଲ କରିଛନ୍ତି। କିସ୍ ଫଳାଫଳ ନେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ ମାଟ୍ରିକ୍ ପରୀକ୍ଷାରେ ସଫଳତା ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *