ରାଜ୍ୟ

ରତ୍ନଭଣ୍ଡାର ରଥଯାତ୍ରାରେ ଖୋଲିବ, ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ସ୍ୱାଗତଯୋଗ୍ୟ ନିଷ୍ପତ୍ତି

Spread the love

ଆଗାମୀ ୨୦୨୪ ରଥଯାତ୍ରାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଛି। ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ ପାଇଁ ଏହି ନିଷ୍ପତ୍ତି ହୋଇଛି । ତେବେ ବିଭିନ୍ନ ସଙ୍ଗଠନ ପକ୍ଷରୁ ରତ୍ନଭଣ୍ଡାର ଖୋଲାଯିବା ନେଇ ବାରମ୍ବାର ଦାବି ହୋଇ ଆସୁଥିବା ବେଳେ ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତିକୁ ସବୁ ସ୍ତରରେ ସ୍ୱାଗତ କରାଯାଇଛି ।

ଆଗାମୀ ପରିଚାଳନା କମିଟି ବୈଠକରେ ଏକ ପ୍ରସ୍ତାବ ଗୃହୀତ କରାଯାଇ ସରକାରଙ୍କୁ ରତ୍ନଭଣ୍ଡାର ଖୋଲାଯିବା ନେଇ ଅନୁରୋଧ କରାଯିବ। ତେବେ ରତ୍ନଭଣ୍ଡାର ସ୍ଥିତି ଦିନକୁ ଦିନ ଦୁର୍ବଳ ହେଉଥିବା ବେଳେ ପ୍ରଶାସନ ଏଦିଗରେ ତ୍ୱରିତ ପଦକ୍ଷେପ ନେବାର ଆବଶ୍ୟକତା ଥିବା ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ଏବଂ ଜଗନ୍ନାଥ ପ୍ରେମୀ ମତ ରଖିଛନ୍ତି।

ସେପଟେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ମଧ୍ୟ ପରିଚାଳନା କମିଟିର ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ରତ୍ନଭଣ୍ଡାରର ସ୍ଥିତି ଦିନକୁ ଦିନ ଖରାପ ହେଉଥିବା ବେଳେ ଅତି ଶୀଘ୍ର ଏହାର ଯାଞ୍ଚ ଏବଂ ମରାମତି ଆବଶ୍ୟକ ଥିବା ସେ ମତ ରଖିଛନ୍ତି। ରଥଯାତ୍ରା ସମୟକୁ ଅପେକ୍ଷା ନକରି ଯଥାଶୀଘ୍ର ଏହାର ଯାଞ୍ଚ ଏବଂ ମରାମତି କରାଯିବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି।

ସେହିପରି ରତ୍ନଭଣ୍ଡାରରେ ଗଛିତ ଥିବା ରତ୍ନ‌ ଗଣତି କରାଯିବା ସହ ସେହି ସୁନା ଅଳଙ୍କାରରେ ମହାପ୍ରଭୁଙ୍କ ଆହୁରି ଅତ୍ୟାଧୁକ ସୁନାବେଶର ସେଟ୍ ପ୍ରସ୍ତୁତ କରିବାକୁ ସେ ମତ ରଖିଛନ୍ତି। ମହାପ୍ରଭୁଙ୍କ ଭଣ୍ଡାରକୁ ସ୍ବର୍ଣ୍ଣ ଅଳଙ୍କାର ଦାନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ।

୨୦୧୮ରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲି ଏହାର ଯାଞ୍ଚ ଏବଂ ମରାମତି କରିବା ପାଇଁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେହିପରି ରତ୍ନଭଣ୍ଡାର ମରାମତି ଓ ଯାଞ୍ଚ ପାଇଁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନକୁ ୨୦୨୨ ମସିହାରେ ଏଏସାଆଇ ପକ୍ଷରୁ ଚିଠି କରାଯାଇଥିଲା। ଏହା ସତ୍ତ୍ୱେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରତ୍ନଭଣ୍ଡାର ଖୋଲାଯିବା ନେଇ ଆଜି ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନଥିଲା ।

ସେହିପରି ରତ୍ନଭଣ୍ଡାର ଖୋଲାଯିବା ନେଇ ଭକ୍ତ, ସେବାୟତ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ପରେ ଶେଷରେ ମୁଣ୍ଡ ନୁଆଇଁଛି ଶ୍ରୀମନ୍ଦିର ପ୍ରଶାସନ। ତେବେ ଏହି ନିଷ୍ପତ୍ତିକୁ କିଭଳି ସଠିକ୍ ଭାବରେ କାର୍ଯ୍ୟକାରୀ କରାଯାଇପାରିବ ଏବଂ ଏହି ନିଷ୍ପତ୍ତି ଯେଭଳି ଆଗାମୀ ଦିନରେ ପାଳନ ହେବ ସେଦିଗରେ ଶ୍ରୀମନ୍ଦିର ପ୍ରଶାସନ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ମତ ଦେଇଛନ୍ତି ଆଇନଜୀବୀ । ସେପଟେ ପୁରୀ ଜିଲ୍ଲାପାଳଙ୍କ କହିବାକଥା ଶ୍ରୀମନ୍ଦିର ପ୍ରଶାସନ ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ନେଇ ସାରିଥିବା ବେଳେ ସରକାରଙ୍କୁ ଏନେଇ ପ୍ରସ୍ତାବ ଦିଆଯିବ। ପରେ ସରକାର ଯାହା ନିର୍ଦେଶ ଦେବେ ସେ ଅନୁଯାୟୀ କାର୍ଯ୍ୟକାରୀ କରାଯିବ।

Leave a Reply

Your email address will not be published. Required fields are marked *