ଭାରତର ଜଣାଶୁଣା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ଗିରଫ । ବର୍ଷ ବର୍ଷ ଧରି ସେ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗ । ପାକିସ୍ତାନକୁ ବିକୁଥିଲେ ଗୁପ୍ତ ତଥ୍ୟ । ଜ୍ୟୋତିଙ୍କ ସମେତ ୬ ଜଣଙ୍କୁ ବାନ୍ଧିଲା ପୋଲିସ ।
ଭାରତରେ ଗିରଫ ହେଲେ ପାକିସ୍ତାନୀ ସ୍ପାଏ । ବର୍ଷ ବର୍ଷ ଧରି ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିବା ଜଣାଶୁଣା ୟୁଟ୍ୟୁବର୍ ଜ୍ୟୋତି ମଲହୋତ୍ରାଙ୍କୁ ଗିରଫ କରିଛି ହରିୟାଣା ପୋଲିସ୍ । ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହ ସମ୍ପର୍କ ଥିବା ଅଭିଯୋଗରେ ସେ ବନ୍ଧା ହୋଇଛନ୍ତି । ଜ୍ୟୋତିଙ୍କ ସମେତ ୬ ଜଣ ଭାରତୀୟଙ୍କୁ ଗିରଫ କରାଯାଇଛି । ଏମାନେ ଭାରତରେ ରହି ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଜଣାପଡିଛି । ୨୦୨୩ରେ ପାକିସ୍ତାନ ଯାଇଥିଲେ ଜ୍ୟୋତି ।
ଜ୍ୟୋତି ମଲହୋତ୍ରା ନିଜର ୟୁଟ୍ୟୁବ୍ ଚ୍ୟାନେଲ ‘ଟ୍ରାଭେଲ ୱିଥ୍ ଜୋ’ରେ ବିଭିନ୍ନ ଦେଶ ବୁଲନ୍ତି । ଏସବୁ ଭିତରେ ସେ ପାକିସ୍ତାନ ଯାଇଥିଲେ । ଆଉ ସେଠି ସେ ପାକିସ୍ତାନ ହାଇକମିଶନ୍ ସହ ଲିଙ୍କକୁ ଆସିଥିବା ଜଣାପଡ଼ିଛି । ପାକ୍ ହାଇକମିଶନର ସଦସ୍ୟ ଏହସାନ-ଉର୍-ରହିମ୍ ଓରଫ୍ ଦାନିଶ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିଲା ଏବଂ ସେ ହିଁ ଜ୍ୟୋତିଙ୍କୁ ପାକିସ୍ତାନର ଗୁଇନ୍ଦା ଅପରେଟିଭଙ୍କ ସହ ଭେଟ କରାଇଥିଲା । ଏହାପରେ ଭାରତର ଅନେକ ତଥ୍ୟ ସେ ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ଦେଇଥିବା ଅଭିଯୋଗ ହୋଇଛି ।