ମୃତ ମହିଳାଙ୍କ ଶବକୁ ମିଳିଲାନି ସମ୍ପର୍କୀୟଙ୍କ କାନ୍ଧ
ମରିଗଲା ମାନବିକତା, ଫିକା ପଡ଼ିଲା ରକ୍ତ ସମ୍ପର୍କ। ମୃତ ମହିଳାଙ୍କ ଶବକୁ ମିଳିଲାନି ସମ୍ପର୍କୀୟଙ୍କ କାନ୍ଧ। ମୃତ୍ୟ ପରେ ବି ପିଛା ଛାଡ଼ିଲା ନାହିଁ ଜାତିପ୍ରଥା। ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜାବାରଙ୍ଗପଦର ପଞ୍ଚାୟତର ଖାତିଗୁଡା ଅଞ୍ଚଳରେ। ଘଟଣା ଅନୁସାରେ ଖାତିଗୁଡା ଗାଁରେ ରହୁଥିବା ବିଧବା ମହିଳା ଲକ୍ଷ୍ମୀ ପାତ୍ରଙ୍କ ଝିଅ ଯମୁନା ପାତ୍ର ଭିନ୍ନ ଜାତିରେ ଭଲପାଇ ବିବାହ ହୋଇଥିଲେ। ମାଆ ଲକ୍ଷ୍ମୀ ପାତ୍ରଙ୍କ ଦେହ ଅସୁସ୍ଥ ହେବାରୁ ଗତ ୧ ବର୍ଷ ଧରି ଝିଅ ଯମୁନା ମାଆ ପାଖରେ ରହି ମାଙ୍କ ସେବା କରି ଆସୁଥିଲେ। ଗତକାଲି ରାତି ନବରଙ୍ଗପୁର ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମୀଙ୍କର ମୃତ୍ୟୁ ହୋଇଥିଲା। ଆମ୍ବୁଲାନ୍ସ ଯୋଗେ ଖାତିଗୁଡା ସ୍ଥିତ ଘରକୁ ଶବ ଆଣିବା ପରେ ଭିନ୍ନ ଜାତିରେ ବାହା ହୋଇଥିବାରୁ ଲକ୍ଷ୍ମୀଙ୍କ ଶବକୁ ଛୁଇଁଲେ ସମ୍ପର୍କୀୟ ମାନେ କାଳେ ବିରୋଧ କରିବେ ବୋଲି ଯମୁନା କେଉଁଆଡ଼େ ଚାଲିଯାଇଥିଲେ। ଫଳରେ ଲକ୍ଷ୍ମୀଙ୍କ ଶବ ନିକଟରେ କେବଳ ତାଙ୍କ ନାବାଳକ ପୁଅ ବସି ରହିଥିଲେ। ଝିଅ ଘରେ ରହିବା ଓ ତା ରନ୍ଧା ଖାଦ୍ୟ ଖାଉଥିଲେ ବୋଲି ଲକ୍ଷ୍ମୀଙ୍କ ସମ୍ପର୍କୀୟ ମାନେ ଶବକୁ ଛୁଇଁବାକୁ ମନା କରିଦେଇଥିଲେ। ୧୧ ଘଣ୍ଟା କାଳ ଏହିଭଳି କାନ୍ଧ ଅପେକ୍ଷାରେ ପଡି ରହିବା ପରେ ଶେଷରେ ସଦା ଯାନୀ କିଛି ସମାଜସେବୀ ଯୁବକ ମାନଙ୍କ ସହାୟତାରେ ଲକ୍ଷ୍ମୀଙ୍କ ଶବକୁ କାନ୍ଧେଇ ଇନ୍ଦ୍ରାବତୀ ସ୍ମଶାନକୁ ନେଇ ହିନ୍ଦୁ ରୀତିନୀତିରେ ଶବ ସତ୍କାର କରିଥିଲେ।
